ବାଲିଯାତ୍ରା ଶେଷ ସୁଦ୍ଧା ପଲ୍ଲିଶ୍ରୀ ମେଳାରେ ୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ଅନେକଗୁଡିଏ ନୂଆ କାର୍ଯ୍ୟକ୍ରମ ଏଥର ବାଲିଯାତ୍ରାକୁ ଦମ୍ଦାର୍ କରିଥିଲା । ବଲିଉଡ୍ ନାଇଟ୍ ଥିଲା ମୁଖ୍ୟ ଆକର୍ଷଣ । ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍, ହର୍ଷଦୀପ କୌରଙ୍କ କାର୍ଯ୍ୟକ୍ରମରେ ୩୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ଆକଳନ କରାଯାଇଛି । ସେହିପରି ଶନିବାର ଓ ରବିବାର ବାଲିଯାତ୍ରାର ସର୍ବକାଳୀନ ରେକର୍ଡ ଭିଡ଼ ହୋଇଥିବା ପ୍ରଶାସନ ତରଫରୁ କୁହାଯାଇଛି । ଲେଜର୍ ଲାଇଟ୍ ସୋ’, ବୋଇତ ପ୍ରତିଯୋଗିତା ସାଙ୍ଗକୁ ଆକର୍ଷଣ ସୃଷ୍ଟି କରିଥିଲା ‘କଟକ ଇନ୍ କଟକ’। ‘ଓଡ଼ିଆ ଅସ୍ମିତା’ ‘ଆମ ଭାଷା, ଆମ ସାହିତ୍ୟ’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଲୋକଙ୍କୁ ଆକର୍ଷିତ କରିଥିଲା ।
ବୋଇତ ପ୍ରତିଯୋଗିତାକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଦୁଃସାହସିକ ସୁନାମି ଦୋଳିର ମଜା ନେଇଥିଲେ । ‘ଜଳପରୀ ସୋ’ ଭଳି ଏକ ନୂଆ କାର୍ଯ୍ୟକ୍ରମକୁ ଲୋକେ ଦେଖିଥିଲେ । ଜାତୀୟ ପଲ୍ଲୀଶ୍ରୀ ମେଳା ଭିତର ଫୁଡ୍ ଷ୍ଟଲ୍ ସର୍ବାଧିକ ଖାଦ୍ୟ ବେପାର କରିଥିବା ବେଳେ ଦହିବରା ହାଟ ବି ପଛରେ ପଡିନାହିଁ । ବାଲିଯାତ୍ରାକୁ ବେଶ୍ ନିଆରା ଢଙ୍ଗରେ ଆୟୋଜନ କରିବାକୁ ୬ ମାସ ଧରି ପ୍ରସ୍ତୁତି ଜାରି ରଖିଥିଲା କଟକ ଜିଲ୍ଲା ପ୍ରଶାସନ । ପ୍ଲଟ୍ ବିକ୍ରି ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ତଳ ପଡିଆର ୬୦ଏକର ଜମିରେ ବାଲିଯାତ୍ରା ଆୟୋଜନ କରାଯାଇଥିଲା । ପ୍ରତିଦିନ ହାରାହାରି ୫ରୁ ୬ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଶନିବାର ଓ ରବିବାର ଭିଡ଼ ଦୁଇଗୁଣା ବଢିଯାଇଥିଲା । ରବିବାର ଦର୍ଶକ ସଂଖ୍ୟା ୧୫ ଲକ୍ଷ ଟପିଥିବା ଆକଳନ କରାଯାଇଥିଲା । ଜାତୀୟ ପଲ୍ଲୀଶ୍ରୀ ମେଳା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ।

