ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଭଳି ସାମ୍ପ୍ରତିକ ଉତ୍ତେଜନା ପରେ ଏହି ଗସ୍ତ ରହିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଏବଂ ସମାନ ରଣନୈତିକ ସ୍ୱାର୍ଥକୁ ମଧ୍ୟ ନେଇ ମର୍ଜ ଓ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଆସନ୍ତାକାଲି (ସୋମବାର)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ବାଦ୍ ଚାନ୍ସେଲର ମର୍ଜଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଜାନୁଆରି ୧୨-୧୩ ରେ ଅହମଦାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ମର୍ଜଙ୍କ ସହିତ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସମେତ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ।
ଜର୍ମାନ ଚାନ୍ସେଲର ଅହମଦାବାଦରେ ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାବରମତି ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରି ୧୩ରେ ମର୍ଜ ବେଙ୍ଗାଲୁରୁ ଗସ୍ତ କରି ସେ ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଜର୍ମାନ ଫାର୍ମ ‘ବୋସ୍’ର କ୍ୟାମ୍ପସ ପରିଦର୍ଶନ କରିବେ।

