ସେ କହିଛନ୍ତି, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ର ଆହ୍ୱାନକୁ ଆଜିର ଏହି ମାରାଥନ୍ ସାର୍ଥକ କରୁଛି । ଯେତେବେଳେ ଜଣେ ଯୁବକ ଦୌଡ଼େ, ସେତେବେଳେ ପୂରା ସମାଜ ଦୌଡ଼େ ଏବଂ ଦେଶ ପ୍ରଗତି ପଥରେ ଦୌଡ଼େ । ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ପାଇଁ ଦୌଡ଼ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମାରାଥନ୍ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ଜଣେ କ୍ରୀଡ଼ାବିତ୍ର ପ୍ରକୃତ ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ୍ ବା ଖେଳୁଆଡ଼ ମନୋଭାବକୁ ମଧ୍ୟ ପ୍ରଦର୍ଶିତ କରୁଛି । ଏହି ଭବ୍ୟ ଆୟୋଜନ ସମ୍ବଲପୁରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ଏବଂ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ ।
ସମ୍ବଲପୁରର ପରିଚୟ ଆଜି କେବଳ କୃଷିରେ ସୀମିତ ନାହିଁ; ଏହା କୃଷିରୁ ସଂସ୍କୃତି ଏବଂ ପର୍ଯ୍ୟଟନରୁ କ୍ରୀଡ଼ା କ୍ଷେତ୍ରକୁ ବ୍ୟାପିବାରେ ଲାଗିଛି । ଏହି ଆନ୍ତର୍ଜାତୀୟ ମାରାଥନ୍ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା ପର୍ଯ୍ୟଟକମାନେ ଆମର ସମୃଦ୍ଧ ସମ୍ବଲପୁରୀ ବସ୍ତ୍ର, କଳା ଏବଂ ନିଆରା ଆତିଥ୍ୟକୁ ଅନୁଭବ କରିବାର ସୁଯୋଗ ପାଇବେ । ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଏହି ପ୍ରୟାସ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତର ସମ୍ମାନକୁ ଆହୁରି ମଜବୁତ୍ କରିବ ।ଶେଷରେ ସେ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବା ବେଳେ, ୨୦୨୬ରୁ ହିଁ ଓଡ଼ିଶାର ପ୍ରତିଭାବାନ ପିଲାମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ସମ୍ବଲପୁର ଏବଂ ଓଡ଼ିଶାର ପିଲାମାନେ ଆଗାମୀ ଦିନରେ ଅଲିମ୍ପିକ୍ସ ମେଡାଲ ଜିତି ଦେଶକୁ ଗର୍ବିତ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ମାରାଥନରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିଯୋଗୀମାନେ ସାମିଲ ହୋଇଥିଲେ । ରାଜ୍ୟ ବାହାରୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼, ବିହାର, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ, ଆସାମ, ଉତ୍ତରାଖଣ୍ଡ, କେରଳ, ତାମିଲନାଡୁ, ମେଘାଳୟ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ ଓ କାଶ୍ମୀରର ଧାବକ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ । ଆନ୍ତର୍ଜାତୀୟ ସ୍ତରରେ ଏହି ମାରାଥନର ଦୃଶ୍ୟପଟ୍ଟ ବେଶ୍ ପ୍ରଭାବଶାଳୀ ରହିଥିଲା, ଯେଉଁଥିରେ କେନିଆ, ଇଥିଓପିଆ, ନାଇଜେରିଆ, ନେପାଳ, ଶ୍ରୀଲଙ୍କା, ଭୁଟାନ, ଜାମ୍ବିଆ, କଙ୍ଗୋ, ୟେମେନ ଏବଂ ସିରିଆ ଭଳି ବିଦେଶୀ ରାଷ୍ଟ୍ରର ଧାବକମାନେ ଅଂଶଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀଙ୍କୁ ଶ୍ରୀ ପ୍ରଧାନ ପୁରସ୍କୃତ କରିଥିଲେ ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାୟକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ପଦ୍ମଶ୍ରୀ ବିଜେତା ଏବଂ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ହୀରାକୁଦର ମହାନଦୀରେ ବୋଟିଂ କରି ଖୁସିପ୍ରକଟ କରିଥିଲେ ।

