କଟକ: ବିଜୁ ଜନତା ଦଳ (ବିଜେଡି)ର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରକାଶ ପାଇଛି। ରାଜେନ୍ଦ୍ର ବଲ୍ଲଭ ବେହେରାଙ୍କୁ କଟକ ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଦଳର ଶୀର୍ଷ ନେତୃତ୍ୱଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ଅବସରରେ ଶ୍ରୀ ବେହେରା କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଏବଂ ନିଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ା. ପ୍ରମୋଦ କୁମାର ମଲ୍ଲିକଙ୍କୁ ତାଙ୍କର ମାର୍ଗଦର୍ଶନ, ଆଶୀର୍ବାଦ ଓ ସହଯୋଗ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କର ନିରନ୍ତର ପ୍ରେରଣା ଓ ଦିଗ୍ଦର୍ଶନ ଯୋଗୁଁ ସେ ଆଗାମୀ ଦିନରେ ଦଳୀୟ କାର୍ଯ୍ୟରେ ଆହୁରି ସକ୍ରିୟ ଭାବେ ନିଜକୁ ନିୟୋଜିତ କରିପାରିବେ ବୋଲି ପ୍ରକାଶ କରିଛନ୍ତି।
ନିଜ ପ୍ରତିକ୍ରିୟାରେ ଶ୍ରୀ ବେହେରା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ଦୂରଦର୍ଶୀ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଛନ୍ତି। ନବୀନ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଟକ ଜିଲ୍ଲାରେ ସଂଗଠନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ସେ କହିଛନ୍ତି। ଏଥିସହିତ ଜିଲ୍ଲାର ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଏକଜୁଟ କରି ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସେ ଦୃଢ଼ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଛନ୍ତି।

