1771420411 1771420294 vlcsnap 2026 02 18 18h37m23s296

କଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି ଘଟଣା ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।  ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା, ଓରଫ ରିଙ୍କୁ  । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ତୁରନ୍ତ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସକମାନେ ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରୁଥିଲେ, ହେଲେ ଶେଷ ପର୍ଯ୍ୟନ୍ତ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ।

ପ୍ରାପ୍ତ ତଥ୍ୟ ଅନୁଯାୟୀ, ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଅଜ୍ଞାତ ଦୁବୃତ୍ତମାନେ ରିଙ୍କୁଙ୍କ ଉପରେ ଗୁଳିଚାଳନା କଲେ। ଅଚାନକ ଏହି ଗୁଳିକାଣ୍ଡ ଘଟଣାରେ ସ୍ଥାନୀୟ ଅଧିବାସୀମାନେ ଆତଙ୍କିତ ହୋଇ ପଡ଼ିଲେ। ଘଟଣା ଜଣାପଡ଼ିବା ମାତ୍ରେ ପ୍ରତ୍ୟକ୍ଷଦର୍ଶୀମାନେ ଗୁରୁତର ଆହତ ଅବସ୍ଥାରେ ରିଙ୍କୁଙ୍କୁ ଶୀଘ୍ର ଏସସିବି ମେଡ଼ିକାଲ କଲେଜକୁ ପଠାଇ ଦେଲେ, ହେଲେ ଶେଷ ରକ୍ଷା ହୋଇ ପାରିଲା ନାହିଁ।

ଏହି ଗୁଳିକାଣ୍ଡ ଘଟଣାର ପ୍ରକୃତ କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ଏହି ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତାଅପରାଧ ଜଗତ ସହ ସଂପର୍କ ନା ଅନ୍ୟ କୌଣସି କାରଣ ରହିଛି, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।   ଘଟଣାର ସୂଚନା ମିଳିବା ମାତ୍ରେ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲେ। ଅଞ୍ଚଳର ସିସିଟିଭି ଫୁଟେଜ ଖୋଜ କରାଯାଉଛି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନିଆ ଯାଉଛି। ପୋଲିସ ଦ୍ରୁତ ଗତିରେ ଦୋଷୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗ୍ରେଫ୍ତାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ଏହି ଘଟଣା ପ୍ରେସ କଲୋନୀ ଓ ଆଖପାଖ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ବ୍ୟାପକ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଦିନ ଦୁପହରରେ ଏ ପ୍ରକାର ଗୁଳିକାଣ୍ଡ ଘଟଣା ଘଟୁଥିବାରୁ ଲୋକମାନେ ନିଜ ସୁରକ୍ଷା ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ଏ ଘଟଣାକୁ ନେଇ ସ୍ଥାନୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖାଦେଉଛି।

Share