Hk 2026 02 23 19 02 00

ଭୁବନେଶ୍ୱର: ସହରାଞ୍ଚଳ ପରିବହନ ପାଇଁ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହେବାପରେ ଏବେ ଅଧିକରୁ ଅଧିକ ସଂଖ୍ୟକ ପରିବେଶ ଅନୁକୂଳ ଇ-ବସ୍ ଆଣିବାପାଇଁ ସରକାର ଅଣ୍ଟା ଭିଡିଛନ୍ତି । ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଆଉ ୬୦୦ ଇ-ବସ୍ ଯୋଡାଯିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଇ-ବସ୍ ସେବା ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟାପକ କରାଯିବ । ରାଜ୍ୟ ସରକାର ୬୦୦ ଇ-ବସ୍ କିଣିବାକୁ ଯୋଜନା କରୁଥିବାବେଳେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ରାଜ୍ୟକୁ ଆଉ ୪୦୦ ଇ-ବସ୍ ଆସିବ ବୋଲି ଜଣାଯାଇଛି ।

ଏହା ଫଳରେ ରାଜ୍ୟରେ ଆମ ବସ୍ ସେବାର କଳେବର ବୃଦ୍ଧି ପାଇବା ସହିତ ସହରାଞ୍ଚଳରେ ଏହା ଅଧିକରୁ ଅଧିକ ଲୋକଙ୍କୁ ସେବା ଯୋଗାଇବ । ଉଲ୍ଲେଖନୀୟ ଯେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ଦ୍ୱାରା ପରିଚାଳିତ ଆମ୍ ବସ୍ ସେବା ଏବେ ଦୈନିକ ୩ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ପରିବହନ କରୁଛି । ଆମ ବସରେ ଯାତାୟତ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଡିଜିଟାଲ୍ ମାଧ୍ୟମରେ ଦେୟ ପ୍ରଦାନ କରୁଛନ୍ତି ଯାହା ସରକାରଙ୍କ ଡିଜିଟାଲ ଇଣ୍ଡିଆକୁ ଅଧିକ ସୁଦୃଢ କରୁଛି ।ସେହିଭଳି ଯାତ୍ରୀମାନଙ୍କୁ ଘରୁ ବସ୍‌ଷ୍ଟାଣ୍ଡ ଏବଂ ବସ୍‌ଷ୍ଟାଣ୍ଡରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପରିବହନ ସେବା ଯୋଗାଇବା ପାଇଁ ଆମ ଇ-ରାଇଡ୍ ସେବାକୁ ଅଧିକ ସୁଦୃଢ଼ କରାଯାଉଛି l ‘ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ ମାଧ୍ୟମରେ ରୁଟ୍ ଅପ୍ଟିମାଇଜେସନ୍ ଓ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦିଆଯାଉଛି ।

ବଜେଟରେ ଅର୍ଥ ବରାଦ ଓ ନୂତନ ପଦକ୍ଷେପ ସଂକ୍ରାନ୍ତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏହି ବଜେଟ୍ ଆମ ସରକାରଙ୍କ ଲୋକ-କୈନ୍ଦ୍ରିକ ବିକାଶର ପ୍ରତିଫଳନ l ଆମ ବସ୍ ଓଡ଼ିଶାରେ ସାଧାରଣ ପରିବହନର ସଂଜ୍ଞା ବଦଳାଇ ଦେଇଛି l ଆମେ କେବଳ ସଂଯୋଗୀକରଣ ବଢ଼ାଉନାହୁଁ, ବରଂ ଭବିଷ୍ୟତ ପାଇଁ ଏକ ସ୍ୱଚ୍ଛ ଓ ସବୁଜ ସହର ର୍ନିମାଣ କରୁଛୁ ।

ଆମ ବସ୍ ସେବାରେ ଅଧିକରୁ ଅଧିକ ଇ-ବସ୍ ସାମିଲ କରି ଆମେ ସହରାଞ୍ଚଳ ପରିବହନକୁ ଅଧିକ ସୁଲଭ ଏବଂ ପରିବେଶ ଅନୁକୂଳ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି । ବଜେଟରେ ରାଜ୍ୟ ସରକାର ସହରାଞ୍ଚଳ ପରିବହନକୁ ଯେଭଳି ଅଗ୍ରାଧିକାର ପ୍ରଦାନ କରିଛନ୍ତି ତାହା ଆଗାମୀ ଦିନରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ କେବଳ ସୁସଂଗତ କରିବନାହିଁ, ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀମତୀ ପାଢୀ କହିଛନ୍ତି ।

Share