Zdvxdfvxxdv

ରାଜଗାଙ୍ଗପୁର : ଶିଳ୍ପ ଦ୍ୱାରା ଅଧିକୃତ ଜମି ଦାଖଲ କଲେ ଜମି ମାଲିକ। ଜମିରେ ଲାଲ ପତାକା ଉଡ଼ାଇବା ସହ ପ୍ରଶାସନ ଓ ଶିଳ୍ପ ସଂସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ଓ ଶତାଧିକ ଗ୍ରାମବାସୀ।

ଗତ ଡିସେମ୍ବର ୧୩ରେ ଏକ ଶିଳ୍ପ ଦ୍ୱାରା ଲାଞ୍ଜିବେର୍ଣ୍ଣା ସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଖଣିକୁ ଲାଗି ୨୭.୫୧ ଏକର ଜମି ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ଜମି ଅଧିଗ୍ରହଣ ବିରୁଦ୍ଧରେ ସେହି ଦିନରୁ ଜମି ମାଲିକ,୫ଟି ପଞ୍ଚାୟତ ବାସୀ ଓ ଆଖପାଖ ଅଂଚଳର ଶତାଧିକ ଗ୍ରାମବାସୀ ବିରୋଧ କରି ଜମି ଫେରାଇବାକୁ ଦାବୀ କରି ଆସୁଛନ୍ତି। ଫଳରେ ଉକ୍ତ ଶିଳ୍ପସଂସ୍ଥା ସେଠାରେ କାମ ବନ୍ଦ କରିଥିଲା। ଘଟଣାରେ ପୂର୍ବରୁ ରାଜପଥ ଅବରୋଧ କରି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ ଗ୍ରାମବାସୀ। ଏହାକୁ ରାଜଗାଙ୍ଗପୁର ବିଧାୟକ ସି.ଏସ ରାଜନ ଏକ୍କାଙ୍କ ସହିତ ଏକାଧିକ ଆଦିବାସୀ ନେତା ସମର୍ଥନ ଜଣାଇ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନରେ ସାମିଲ ହୋଇ ଆସୁଥିଲେ।

ପ୍ରାୟ ଦୁଇ ମାସ ପରେ ଗତକାଲି ଭୋରରୁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ନେଇ ଉକ୍ତ ଶିଳ୍ପସଂସ୍ଥା ଅଧିକୃତ ଜମିରେ ରାସ୍ତା ତିଆରି କରିବାକୁ ଯୋଜନା କରିଥିଲା। ଖବର ପାଇ ଗ୍ରାମବାସୀ ଉପସ୍ଥିତ ହୋଇ ରାସ୍ତା କାମକୁ ବିରୋଧ କରିଥିଲେ। ଉଚ୍ଚ ନ୍ୟାଳୟରେ ଏହା ବିଚାରଧୀନ ରହିଥିବା ବେଳେ ଜମିରେ ରାସ୍ତା ନିର୍ମାଣ ହେଉଛି ବୋଲି ଯୁକ୍ତି ବାଢିଥିଲେ ଗ୍ରାମବାସୀ। ଏହାକୁ ନେଇ ପ୍ରଶାସନ ଏବଂ ବିରୋଧି ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାରେ ପୁଲିସ ୧୫ ଜଣଙ୍କୁ ରାତି ୧୦ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖିଥିଲେ।
ତେବେ ଆଜି ସକାଳୁ ଜମି ଅଧିଗ୍ରହଣ ଜାଗାରେ ଆନ୍ଦୋଳନକୁ ନେତୃତ୍ୱ ନେଉଥିବା ଫୋରମ ଫର ଗ୍ରାମସଭାର ଆହ୍ୱାନ କ୍ରମେ ହଜାର ହଜାର ଗ୍ରାମବାସୀ ଜମା ହୋଇଥିଲେ। ବିଧାୟକ ରାଜନ ଏକ୍କାଙ୍କ ସମେତ ଆଲବଟ କିଣ୍ଡୋ, ବେନେଟିକ ମିଂଜ଼, ଅରୁଣ ସାମଲ ଓ ବହୁ ନେତା ଉପସ୍ଥିତ ରହିଥିଲେ। ପୁଲିସ ପକ୍ଷରୁ ମଧ୍ୟ୍ୟ ଏକାଧିକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ୧୦ ପ୍ଲାଟୁନ ଫୋର୍ସ ଜମା ହୋଇଥିଲେ। ଅପରାହ୍ଣ ପ୍ରାୟ ୨ଟା ସମୟରେ ହଠାତ ଗ୍ରାମବାସୀ ମାନେ “ଜଳ ଜମିନ ଜଙ୍ଗଳ ହମରା ହଏ” ସ୍ଲୋଗାନ ଦେଇ ବ୍ୟାରିକେଟ ଭାଙ୍ଗି ପୁଲିସକୁ ଧକ୍କା ଦେଇ ଅଧିଗ୍ରହଣ ଜମିରେ ପଶିଥିଲେ। ନିଜ ନିଜ ଜମିରେ ଲାଲ ଝଣ୍ଡା ପୋତି ମୁଁ ମୋର ଜମି ଦାଖଲରେ ନେଲି ବୋଲି କହିଥିଲେ। ଏହାସହ ସମ୍ପୂର୍ଣ ୨୭ ଏକର ଜମିର ଚାରିପଟେ ଲାଲ ଝଣ୍ଡା ପୋତିଥିଲେ।

Share