ଭଦ୍ରକ : ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଳି ଗଲା ଧୂପ କାରଖାନା । ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅନ୍ତର୍ଗତ କୁମ୍ଭାରିଆ ନିକଟରେ ସର୍ଟସର୍କିଟ ଯୋଗୁଁ ଧାନ ଓ ଚୂଡା ମିଲ ପରିସରରେ ଥିବା ଧୂପ କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଦେଖୁ ଦେଖୁ ଏହା କାରଖାନାର ବିଭିନ୍ନ ଅଂଶକୁ ବ୍ୟାପିଥିଲା ।
ନିଆଁ ଲାଗିବା ସମୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଆଗରପଡ଼ା ଓ ଭଣ୍ଡାରିପୋଖରୀରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଘଣ୍ଟା ଘଣ୍ଟା ଧରି ଅଗ୍ନିଶମ ବାହିନୀ ପକ୍ଷରୁ ଅକ୍ଳାନ୍ତ ପରିଶ୍ରମ କରାଯାଉଥିଲେ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇନାହିଁ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକାରର ସାମଗ୍ରୀ ଓ ଯନ୍ତ୍ରାଂଶ ପୋଡି ନଷ୍ଟ ହୋଇଥିବା ଦମକଳ ବାହିନୀ ପକ୍ଷରୁ ସୂଚନା ମିଳିଛି । ତେବେ ନିଆଁ ଲିଭା କାର୍ଯ୍ୟ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।

