ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । ଆଜି ମଧ୍ୟ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ବର୍ଷା ହେବ । ଏହି ସବୁ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଅଛି ।
ସେହିପରି ଆସନ୍ତାକାଲି କାଳବୈଶାଖୀ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଆଗାମୀ୨-୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ ୨ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ ତାପମାତ୍ରା । ଆଜି ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୯.୩° ସେଲସିଅସ୍ ରେକର୍ଡ କରାଯାଇଛି ।

