ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ରାଜଗଢ ଜିଲ୍ଲାର ପଚୋରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗତକାଲି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ସହର ମଝିରେ ଥିବା ଏକ ଭାରତ ପେଟ୍ରୋଲିୟମ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୧୨ ଜଣ ଲୋକ ଗୁରୁତର ଭାବେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଇନ୍ଦୋର ପଠାଯାଇଛି ।
ସୂଚନାନୁଯାୟୀ, ପେଟ୍ରୋଲ ପମ୍ପରେ ଏକ ଧାଡ଼ିରେ ଟ୍ରାକ୍ଟରରେ ଡିଜେଲ ଭର୍ତ୍ତି କରାଯାଉଥିଲା । ଅନ୍ୟପଟେ ବାଇକରେ ପେଟ୍ରୋଲ ଭର୍ତ୍ତି କରାଯାଉଥିଲା । ସେହି ସମୟରେ ଡିଜେଲ ଟ୍ୟାଙ୍କକୁ ଖାଲି କରାଯାଉଥିଲାବେଳେ ହଠାତ୍ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ ଆହତ ହୋଇଥିବା ସମସ୍ତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଜଣେ ବାଇକ୍ ଚାଳକ ପେଟ୍ରୋଲ ଭର୍ତ୍ତି କରିବାକୁ ପହଞ୍ଚି ତେଲ ଟାଙ୍କି ଖୋଲିବାବେଳେ ନୋଜଲ୍ ଟାଙ୍କିରେ ହଠାତ୍ ନିଆଁ ଲାଗିଯାଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସଡିଏମ୍ ରୋହିତ ବାମୋର, ଥାନା ଦାୟିତ୍ୱରେ ଥିବା ଶକୁନ୍ତଳା ବାମାନିଆ ପୋଲିସ ଏବଂ ପ୍ରଶାସନ ଦଳ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ୨ ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।

