ସିଜେପି ଆନ୍ଦୋଳନ ବେଳେ ମେଟ୍ରୋ ଷ୍ଟେସନ ବନ୍ଦ ଓ ଟ୍ରେନ ବାତିଲ ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି

SC

ନୂଆଦିଲ୍ଲୀ : ସିଜେପି ଆନ୍ଦୋଳନ ବେଳେ କାହିଁକି ବନ୍ଦ ହେଲା ମେଟ୍ରୋ ଷ୍ଟେସନ ଓ ଟ୍ରେନ? କାଲି ସୁପ୍ରିମ କୋର୍ଟରେ ହେବ ଶୁଣାଣି ।  ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଉଠାଯାଇଥିବା ପଦକ୍ଷେପ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ। ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନିର୍ଦ୍ଦେଶ ପରେ ବି ପ୍ରଶାସନ ଦ୍ବାରା ମେଟ୍ରୋ ଷ୍ଟେସନ ଓ ସଡ଼କ ପରିବହନ ସେବାରେ ବାଧା ଉପୁଜାଗଲା। ଆନ୍ଦୋଳନକୁ ସମର୍ଥନ କରିଥିବା କିଛି ଓକିଲଙ୍କୁ ମଧ୍ୟ ଅଟକ ରଖାଗଲା।

ଏହାକୁ ନେଇ ଆଇନଜୀବୀ ଶୈଳେନ୍ଦ୍ର ମଣି ତ୍ରିପାଠୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ଦାୟର ଆବେଦନରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଦିଲ୍ଲୀ ପୋଲିସ କମିସନର ଅନୁରାଗ କୁମାର ଓ ଦିଲ୍ଲୀ ମେଟ୍ରୋ ନିଗମ ଅଧ୍ୟକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ପଦକ୍ଷେପ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଆବେଦନରେ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଏହା ସଂପୂର୍ଣ୍ଣ ଅବମାନନା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାର ଜାଣିଶୁଣି ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଆବେଦନରେ ଦର୍ଶାଯାଇଛି।

Share