ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଓ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ ହେବାର ସୁଯୋଗ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୁଥ୍‌ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲଓ ମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମ ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ବିଶେଷକରି ଏସଆଇଆର ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀମାନଙ୍କୁ ଫର୍ମ-୬ ମାଧ୍ୟମରେ ଆବେଦନ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ଯୋଗ୍ୟ ନାଗରିକ ,ଯେପରି ଭୋଟର ତାଲିକାରୁ ନାମ ସାମିଲ ହେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷକରି, ପୂର୍ବରୁ ଭୋଟର ତାଲିକାରେ ନାମ ସାମିଲ ହୋଇନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀଙ୍କୁ ଏହି ସୁଯୋଗର ଲାଭ ନେବାକୁ ଉତ୍ସାହିତ କରାଯାଇଥିଲା। ଏହି ଅଭିଯାନରେ ନୂତନ ଯୁବ ଭୋଟରମାନେ ଉତ୍ସାହର ସହ ଭାଗ ନେଇଥିବାରୁ ଫର୍ମ-୬ ମାଧ୍ୟମରେ ୩୩ ହଜାର ୫୧୫ ଟି ଆବେଦନ ଗ୍ରହଣ କରାଯାଇଛି। ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଲକ୍ଷ୍ୟ।