Chhattisgarh

ଛତିଶଗଡ଼ : ଛତିଶଗଡ଼ ଜାଞ୍ଜିଗିରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ତରଭୁଜ ଖାଇ ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୩ ଜଣ ଅସୁସ୍ଥ ଅବସ୍ଥାରେ ରହିଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ମାମୁଁ ଘରକୁ ଆସିଥିବା ପିଲାମାନେ ତରଭୁଜ ଖାଇଥିଲେ । କିଛି ଘଣ୍ଟା ପରେ ସେମାନଙ୍କର ବାନ୍ତି, ଝାଡା ହୋଇଥିଲା । ସେମାନଙ୍କ ଅବସ୍ଥା ଖରାପ ହେବାରୁ, ପରିବାର ଲୋକ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ  ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ । ଫଳରେ ସେଠାରେ ପହଞ୍ଚିବା ପରେ ଡାକ୍ତର ଜଣେ ୧୫ ବର୍ଷୀୟ ବାଳକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି । ୧୫ ବର୍ଷୀୟ  ମୃତ ବାଳକ ହେଲେ ଅଖିଳେଶ ଏବଂ ଆହତମାନେ ହେଲେ ଆୱାରିଦ ଗାଁର ଶ୍ରୀ ଧୀୱାର (୪), ଖଟୋଲାର ପିଣ୍ଟୁ ଧୀୱାର (୧୨) ଏବଂ କୋଟଗଡ଼ର ହିତେଶ ଧୀୱାର (୧୩)ବୋଲି ଚିହ୍ନଟ କରାଯାଇଛି  । ଏହି ଅଘଟଣ ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲ୍ଲାର ଘୁରକୋଟ ଗାଁରେ ଘଟିଛି । ଏହି ଘଟଣା ପରେ ତରଭୁଜ ଖାଇବାକୁ ଲୋକମାନେ ଭୟ କରୁଛନ୍ତି ।

ଅନ୍ୟପଟେ ମୃତକଙ୍କ ମୃତଦେହ ପୋଷ୍ଟମର୍ଟମ୍ ପରୀକ୍ଷା ପାଇଁ ନିଆଯାଇଛି  ଏବଂ ଫରେନସିକ୍ ପରୀକ୍ଷା ପାଇଁ ଭିସେରା ନମୁନା ସଂରକ୍ଷିତ କରି ରଖାଯାଇଛି । ଘରେ ରଖାଯାଇଥିବା ଆଉ ଏକ ତରଭୁଜକୁ ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା ବିଭାଗକୁ ପଠାଯାଇଛି ।  ରିପୋର୍ଟ ଆସିବା ପରେ ମୃତ୍ୟୁ ଏବଂ ଅସୁସ୍ଥତାର ସଠିକ୍ କାରଣ ଜଣାପଡିବ ।

Share