81v1582s suvendu adhikari 160x120 09 may 26 1024x576

କଲକତା:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ସେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ବେଳେ ଆଜି ଗୋଟିଏ ସିଟ ଛାଡ଼ିବା ସମ୍ପର୍କରେ କହିଛନ୍ତି। ସେ ଭବାନୀପୁର ଆସନ ରଖିବେ ଓ ନିଜର ପାରମ୍ପରିକ ସିଟ ନନ୍ଦିଗ୍ରାମକୁ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି।ସେ କହିଛନ୍ତି,ମୁଁ ଦୁଇଟି ବଧାନସଭା ଆସନର ବିଧାୟକ ଭାବେ ଶପଥ ନେଇ ପାରିବି ନାହିଁ। ମୁଁ ଭବାନୀପୁରର ବିଧାୟକ ଭାବେ ଶପଥ ନେଇଛି। କିନ୍ତୁ ମୁଁ ନନ୍ଦିଗ୍ରାମ ବିଧାନସଭା ଆସନ ଛାଡ଼ିବି।

ଶୁଭେନ୍ଦୁ ନିକଟରେ ଶେଷ ହୋଇଥିବା ବେଙ୍ଗଲ ବିଧାନସଭା ନିର୍ବାଚନରେ ଉଭୟ ଭବାନୀପୁର ଓ ନନ୍ଦିଗ୍ରାମରୁ ବିଜୟୀ ହୋଇଥିଲେ। କିନ୍ତୁ ବୁଧବାର ସେ ରାଜ୍ୟ ବିଧାନସଭାରେ କେବଳ ଭବାନୀପୁର ଆସନର ବିଧାୟକ ଭାବେ ଶପଥ ନେଇଛନ୍ତି। ସେ ନନ୍ଦିଗ୍ରାମ ଆସନ ଛାଡ଼ିଥିବାରୁ ସେଠାରେ ଉପ ନିର୍ବାଚନ ହେବ। ଏହା ଶୁଭେନ୍ଦୁଙ୍କ ଗଡ଼ ହୋଇଥିବାରୁ ତାଙ୍କର କୌଣସି ଘନିଷ୍ଠ ସହଯୋଗୀ ଏଠାରେ ପ୍ରାର୍ଥୀ ହେବ। ଭବାନୀପୁର ହେଉଛି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଗଡ଼। ଏଠାରେ ମମତା କେବେ ବି ହାରି ନଥିଲେ। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ତାଙ୍କୁ ଅପ୍ରତ୍ୟାଶିତ ଭାବେ ୧୫,୧୦୫ ଖଣ୍ଡ ଭୋଟରେ ହରାଇଥିଲେ। ସେହିପରି ସେ ନନ୍ଦିଗ୍ରାମ ଆସନରେ ମଧ୍ୟ ଟିଏମସିର ପବିତ୍ର କରଙ୍କୁ ୯,୬୬୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।

ଆଜି ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ମିଳିଥିଲା। ସେ ଗୃହରେ ପ୍ରବେଶ କରିବା ପୂର୍ବରୁ ଦଣ୍ଡବତ ହୋଇଥିଲେ। ଏହାପରେ ସେ ବିଧାନସଭା ମଧ୍ୟରେ ପ୍ରବେଶ କରିଥିଲେ।ବେଙ୍ଗଲରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହୋଇଛି। ଦଳ ରାଜ୍ୟର ୨୯୪ଟି ବଧାନସଭା ଆସନରୁ ୨୦୬ଟିରେ ଜିତିଛି। ୨୦୨୧ରେ ବିଜେପି କେବଳ ୭୭ଟି ଆସନ ପାଇଥିଲା।ସେହିପରି ୧୫ ବର୍ଷ ହେଲା କ୍ଷମତାରେ ଥିବା ଟିଏମସି କେବଳ ୮୦ଟି ଆସନ ପାଇଛି। ୨୦୨୧ରେ ଦଳ ୨୧୨ଟି ସ୍ଥାନରେ ବାଜିମାତ କରିଥିଲା।

Share