ଟିଭିକେ ବିଧାନସଭା ନିର୍ବାଚନରେ ୧୦୮ ଆସ ଜିତିଥିଲା। ଏହା ମଧ୍ୟରେ ବିଜୟଙ୍କ ୨ଟି ଆସନ ରହିଛି। ଟିଭିକେ ୧୧୮ ମ୍ୟାଜିକ ନମ୍ବର ଠାରୁ ଦୂରରେ ରହିଥିବା ବେଳେ ଦଳକୁ କଂଗ୍ରେସ, ବାମଦଳ, ଆଇୟୁଏମଲ ଓ ଭିସିକେ ସମର୍ଥନ କରିଥିଲେ। ଆଜି ଆସ୍ଥା ଭୋଟ ସମୟରେ ଏଆଇଏଡିଏମକେର ଗୋଟିଏ ଗୋଷ୍ଠୀ ବିଜୟଙ୍କ ସପକ୍ଷରେ ଭୋଟ ଦେବାରୁ ସେ ୧୪୪ ବିଧାୟକଙ୍କ ସମର୍ଥନ ହାସଲ କରି ଆସ୍ଥା ପରୀକ୍ଷାରେ ପାସ କରିଛନ୍ତି। ଆସ୍ଥା ଭୋଟ ପରେ ଶନମୁଗମ ଖୋଲାଖୋଲି ଭାବେ ଇପିଏସଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେ କହିଥିଲେ, “ନିର୍ବାଚନ ପୂର୍ବରୁ ଦଳ ଭିତରେ ଗୋଟିଏ ଦାବି ରହିଥିଲା ଯେ ଯେଉଁମାନେ ଦଳ ଛାଡ଼ିଛନ୍ତି କିମ୍ବା ଯେଉଁମାନଙ୍କୁ ବହିଷ୍କାର କରାଯାଇଛି ସେମାନଙ୍କୁ ଫେରାଇ ଅଣାଯାଉ। ଏହାଦ୍ୱାରା ସମସ୍ତେ ଏକାଠି ହୋଇ ନିର୍ବାଚନ ଜିତିପାରିବା।
ଚେନ୍ନଇ:ତାମିଲନାଡୁ ରାଜନୀତିରେ ଘଡି କେ ଘୋଡା ଛୁଟୁଛି। ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ମହଙ୍ଗା ହେଲା ବିଜୟଙ୍କୁ ସମର୍ଥନ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନ।ଏସପି ଭେଲୁମଣି ଓ ସିଭି ଶନମୁଗମଙ୍କ ସମେତ ଏକାଧିକ ବିଦ୍ରୋହୀଙ୍କୁ ଦଳୀୟ ପଦରୁ ବହିଷ୍କାର କରିଛନ୍ତି। ଏହି ବିଦ୍ରୋହୀମାନେ ଆଜି ତାମିଲନାଡୁ ବିଧାନସଭାରେ ଦଳୀୟ ହ୍ୱିପକୁ ବେଖାତିର କରିଥିଲେ। ସେମାନେ ଟିଭିକେ ମୁଖ୍ୟ ବିଜୟଙ୍କୁ ଆସ୍ଥା ଭୋଟରେ ସମର୍ଥନ ଦେଇଥିଲେ। ଏହାପରେ ଇପିଏସ୍ ଦଳର ବିଭିନ୍ନ ପଦପଦବୀରେ ଥିବା ନେତାକୁ ବହିଷ୍କାର କରିଛନ୍ତି।
ମୋଟ ୨୯ ଜଣ ଏଆଇଏଡିଏମକ ନେତାଙ୍କୁ ଦଳୀୟ ପଦପଦବୀରୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୧୩ ଜଣ ବିଧାୟକ ରହିଛନ୍ତି। ଶନମୁଗମ ଓ ଭେଲୁମଣିଙ୍କ ବ୍ୟତୀତ ଏଆଇଏଡିଏମକେର ଆର କାମରାଜ, ସି ବିଜୟଭାସ୍କର, ଥାଙ୍ଗାମଣି, କେପି ଆନବାଝଗାନ, କେସି ବୀରମଣି ଓ ଏଆର ବିଜୟ ଭାସ୍କରଙ୍କୁ ସେମାନଙ୍କ ପଦବୀ ହଟାଇ ଦିଆଯାଇଛି। ଶନମୁଗମଙ୍କ ନେତୃତ୍ୱରେ ୨୫ ଜଣ ଏଆଇଏଡିଏମକେ ବିଧାୟକ ଆଜି ଟିଭିକେ ସରକାରଙ୍କୁ ଆସ୍ଥା ଭୋଟରେ ସମର୍ଥନ କରିଥିଲେ। ଏଥିପାଇଁ ବିଜୟ ବେଶ ସହଜରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଖାଇ ପାରିଛନ୍ତି।

