Crime

ରାଜସ୍ଥାନ : ଗର୍ଭବତୀ ପତ୍ନୀକୁ ଜବରଦସ୍ତି ଗର୍ଭପାତ ଔଷଧ ଖୁଆଇ ହତ୍ୟା କଲା ସ୍ବାମୀ । ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ନିଜ ଗର୍ଭବତୀ ପତ୍ନୀକୁ ପିଟି ପିଟି ହତ୍ୟା କରିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ ମାମଲା ଦାୟର କରାଯାଇଛି ।

ଖବର ମୁତାବକ, ବୁଧବାର ରାତି ହମିରଗଢ ଥାନାର ବିଏସଏଲ କଲୋନୀରେ ଏଭଳି ଘଟଣା ଘଟିଛି । ଅଭିଯୁକ୍ତ ଗୋପୀ ସିଂ ନିଜର ୫ ମାସର ଗର୍ଭବତୀ ପତ୍ନୀ ରୋଲି ଦେବୀଙ୍କୁ ପିଟିବା ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଦମ୍ପତିଙ୍କ ୧୪ ବର୍ଷର ଝିଅ ପୋଲିସକୁ ବୟାନ ଦେଇ ଘଟଣା ବିଷୟରେ କହିଛନ୍ତି ।

ଝିଅ କହିବା ଅନୁଯାୟୀ, ବାପା ମାକୁ ପ୍ରବଳ ମାରିଥିଲେ । ଦିନରେ ବଜାରକୁ ଯାଇ କିଛି ଔଷଧ ଆଣିଥିଲେ । ଆଉ ମାକୁ ଜବରଦସ୍ତି ଖୁଆଇ ଦେଇଥିଲେ, ଏହାପରେ ଅବସ୍ଥା ଗୁରୁତର ହୋଇଥିଲା । ଏହାପରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ ।

ପୋଲିସ ଝିଅର ବୟାନକୁ ଆଧାର କରି ମାମଲା ରୁଜୁ କରିଛି । ଝିଅର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଛି କି, ଘରୋଇ ବିବାଦ ଯୋଗୁଁ ଦମ୍ପତି ପ୍ରତ୍ୟେକ ଦିନ ଝଗଡା କରୁଥିଲେ । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଥିବା ଡାକ୍ତରଖାନା ରିପୋର୍ଟରୁ ଜଣାପଡିଛି । ମାରପିଟରୁ ଜବରଦସ୍ତି ଗର୍ଭପାତ ସଂକେତ ମିଳିଛି । ତଥାପି ପୋଲିସ ଘଟଣାର ଯାଂଚ କରୁଛି ।

Share