Supreme court

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁ ଓ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ସ୍ଥାନରେ ବୁଲାକୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୁଲାକୁକୁରଙ୍କ ଆକ୍ରମଣରୁ ବାଦ ପଡ଼ୁନାହାନ୍ତି । ଦେଶର ବିଭିନ୍ନ ସହରରେ ବୁଲାକୁକୁରଙ୍କ ଆକ୍ରମଣ ନେଇ ଶତାଧିକ ଥାନାରେ ରିପୋର୍ଟ ହେବା ପରେ ଏହି ପ୍ରସଙ୍ଗରେ ରାୟ ଦେଇଛନ୍ତି ଅଦାଲତ। ନଭେମ୍ବର ୨୦୨୫ରେ ଦିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସଂଶୋଧନ ପାଇଁ ଦାୟର ହୋଇଥିବା ସମସ୍ତ ପିଟିସନକୁ ମଙ୍ଗଳବାର ଦିନ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।

ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ, କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବୃଦ୍ଧି ପାଇବ । ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି । ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଏଭଳି ସ୍ଥିତିକୁ କୋର୍ଟ ଉଦବେଗଜନକ ବୋଲି କହିଛନ୍ତି ।

୨୦୨୫, ନଭେମ୍ବର ରାୟ ଅନୁଯାୟୀ, ସର୍ବସାଧାରଣ ସ୍ଥାନରୁ ବୁଲାକୁକୁରଙ୍କୁ ହଟାଇ ସ୍ବତନ୍ତ୍ର ଆଶ୍ରୟ ସ୍ଥଳିରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ସ୍କୁଲ୍ , କଲେଜ, ରେଳ ଷ୍ଟେସନ୍, ବଜାର ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବୁଲା କୁକୁରଙ୍କୁ ହଟାଇବା ଉପରେ ଗୁରୁତ୍ବାରୋପ କରିଥିଲେ ଅଦାଲତ । ଯଦି ସାର୍ବଜନୀନ ସ୍ଥାନରେ ହିଁ କୁକୁରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି ଏହି ଦିଗରେ ତୁରନ୍ତ ପଦକ୍ଷେପର ଆବଶ୍ୟକତା ରହଛି । ଏଣୁ ସର୍ବସାଧାରଣ ସ୍ଥାନରୁ କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲ ତ।

Share