ମୟୂରଭଞ୍ଜ ଓ କେନ୍ଦୁଝରକୁ ଅତି ପ୍ରବଳ ବର୍ଷା ଆଶଙ୍କା

Chennai rain 013218389 16x9

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ପାଣିପାଗ ବିଭାଗ ଏଠାରେ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଅନୁଗୋଳ, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଅନୁଗୋଳ ଜିଲ୍ଲାର ତାଳଚେରଠାରେ ସର୍ବାଧିକ ୮ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଞ୍ଜାମର ହିଞ୍ଜିଳି ଓ ଭଦ୍ରକର ବାସୁଦେବପୁରଠାରେ ୭ ସେଣ୍ଟିମିଟର ଲେଖାଏଁ ବର୍ଷା ହୋଇଛି।

ଏହାବ୍ୟତୀତ ରାଉରକେଲା, ଆସିକା, କର୍ଲାମୁଣ୍ଡା, ରେଢ଼ାଖୋଲ, ଦାନଗଦୀ, ରେମୁଣା, ଅନୁଗୋଳ, ଗୋବିନ୍ଦପୁର ଓ ଭଦ୍ରକ ସହରରେ ମଧ୍ୟ ଭଲ ବର୍ଷା ହୋଇଛି। ସମତଳ ଅଞ୍ଚଳ ମଧ୍ୟରେ ପାରଳାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧଠାରେ ସର୍ବନିମ୍ନ ତାପମାତ୍ରା ୧୯.୪ ଡିଗ୍ରୀ ସେଲସିୟସ ରହିଥିଲା।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ ପାଇଁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି, ବିଜୁଳି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।

ସେହିପରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଏହି ଦୁଇ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ଜାରି ରହିବ।

ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳର ଖା ସ୍ଥାନ ଏବଂ ପୋଲ ତଳ ରାସ୍ତାଗୁଡ଼ିକରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ କଚ୍ଚା ରାସ୍ତା ଓ ଦୁର୍ବଳ କୋଠାବାଡ଼ି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ହାଲୁକା ବର୍ଷା ହୋଇପାରେ।

Share