ସରକାରୀ ଏବଂ ଶିଳ୍ପ ସଂସ୍ଥାର ତଥ୍ୟ ଅନୁଯାୟୀ, ଦେଶରେ ମୋଟ ୟୁପିଆଇ କାରବାରର ପ୍ରାୟ ୯୬ ପ୍ରତିଶତ ପେମେଣ୍ଟ ୨୦୦୦ ଟଙ୍କାରୁ କମ୍ ରହିଥାଏ । ତେଣୁ ଦୈନନ୍ଦିନ ଛୋଟମୋଟ କିଣାବିକା, ଯେପରିକି ଚା’ ଦୋକାନ, ପନିପରିବା ବଜାର କିମ୍ବା ଗ୍ରୋସରୀ ଦୋକାନରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ଉପରେ ଏହାର କୌଣସି ନକାରାତ୍ମକ ପ୍ରଭାବ ପଡ଼ିବ ନାହିଁ । ସେହିପରି ବ୍ୟକ୍ତିଗତ ସ୍ତରରେ ହେଉଥିବା ଟ୍ରାଞ୍ଜାକ୍ସନ ବା ପି-ଟୁ-ପି ଲେଣଦେଣ ମଧ୍ୟ ପୂର୍ବ ଭଳି ସମ୍ପୂର୍ଣ୍ଣ ମାଗଣା ରହିବ ।
ତେବେ ନୂଆ ବିଜ୍ଞପ୍ତି ଅନୁସାରେ, ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେମେଣ୍ଟ (ବିଶେଷ କରି ବଡ଼ ବ୍ୟବସାୟୀଙ୍କୁ ଦିଆଯାଉଥିବା ପେମେଣ୍ଟ) ଉପରେ ଭବିଷ୍ୟତରେ ଏମଡିଆର୍ ଲାଗୁ ହେବାର ବାଟ ଖୋଲିଛି । କିନ୍ତୁ ଏହି ଶୁଳ୍କ କେବଳ ବ୍ୟବସାୟୀଙ୍କ ଉପରେ ଲାଗିବ, ସାଧାରଣ ଗ୍ରାହକଙ୍କୁ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଦେଶର କେବଳ ୪ ପ୍ରତିଶତ କାରବାର ହିଁ ଏହି ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ସୀମା ଭିତରେ ଆସୁଛି ।
ଉଲ୍ଲେଖଯୋଗ୍ୟ ଯେ, ଭାରତରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ଅଗଷ୍ଟ ୨୦୨୬ ମାସରେ ୟୁପିଆଇ ମାଧ୍ୟମରେ ଦେଶରେ ୨୪୫୦ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ହୋଇଥିଲା, ଯାହାର ମୋଟ ମୂଲ୍ୟ ପ୍ରାୟ ୨୯.୮୨ ଲକ୍ଷ କୋଟି ଟଙ୍କା ଥିଲା। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ଏହି ସ୍ପଷ୍ଟୀକରଣ ଛୋଟ ପେମେଣ୍ଟ କରୁଥିବା କୋଟି କୋଟି ସାଧାରଣ ନାଗରିକଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି।
