ଖଲ୍ଲିକୋଟ: ପାର୍ବଣରେ ପୁଣି ଅଶାନ୍ତ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ଛୁରାମାଡ଼ କରାଯାଇଛି । ଏଥିରେ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ, ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁ ତଳ ସାହି ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଯାତ୍ରାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଚିତ୍ରସେନ ଜେନା ମଙ୍ଗଳବାର ରିହର୍ସାଲ ସାରି ଘରକୁ ଫେରୁଥିଲେ। ହେଲେ ବାଟରେ ତାଙ୍କୁ ଛକି ବସିଥିଲେ ଗାଁର ଦୁଇ ଯୁବକ। ଦୁଇ ଯୁବକ ନିଶାସେବନ କରି ପୂର୍ବ ଶତ୍ରୁତା କାରଣରୁ ହଠାତ୍ ଚିତ୍ରସେନଙ୍କୁ ଛୁରାମାଡ଼ କରି ବାଇକ୍ ଯୋଗେ ଚମ୍ପଟ ମାରିଥିଲେ।
ତେବେ ରକ୍ତାକ୍ତ ଅବସ୍ଥାରେ ଚିତ୍ରସେନଙ୍କୁ ପ୍ରଥମେ ଖଲ୍ଲିକୋଟ ହସ୍ପିଟାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଚିତ୍ରସେନଙ୍କର ମୃତ୍ୟୁ ଘଟିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ପରିବେଷଣ ହେବାକୁ ଥିବା ନାଟକକୁ ବନ୍ଦ କରିଦିଆଯାଇଛି । ଅପରାହ୍ନରେ ଚିତ୍ରସେନଙ୍କ ମର ଶରୀର ପହଁଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଶବସତ୍କାର କରାଯାଇଛି । ଏହି ଘଟଣାକୁ ନେଇ ଖଲ୍ଲିକୋଟ ପୋଲିସ ତଦନ୍ତ ଆରମ୍ଭ କରିଛି ।
