ଲଣ୍ଡନ: ବ୍ରିଟେନରୁ ଅଲଗା ହୋଇ ସ୍ୱାଧୀନ ରାଷ୍ଟ୍ର ଗଠନ ଦିଗରେ, ସ୍କଟଲାଣ୍ଡ ଉତ୍ତର ଆୟର୍ଲାଣ୍ଡ ଓ ୱେଲ୍ସ ଏକାଠି ହୋଇଛନ୍ତି। ତିନି ଅଞ୍ଚଳର ବିଧାନସଭାର ନିର୍ବାଚିତ ପ୍ରତିନିଧିମାନେ ସୋମବାର ୱେଲ୍ସର କାର୍ଡିଫ୍‌ଠାରେ ଏକ ଶିଖର ବୈଠକରେ ଐତିହାସିକ ବୁଝାମଣାପତ୍ର (ଏମ୍‌ଓୟୁ)ରେ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିରେ ୱେଷ୍ଟମିନ୍‌ଷ୍ଟର ଅର୍ଥାତ୍‌ କେନ୍ଦ୍ରୀୟ ବ୍ରିଟିସ୍‌ ସରକାରର ନିୟନ୍ତ୍ରଣରୁ ମୁକ୍ତ ହେବାର ଇଚ୍ଛା ପ୍ରକାଶ ପାଇଛି।

ସ୍କଟଲାଣ୍ଡ, ୱେଲ୍ସ ଓ ଉତ୍ତର ଆୟର୍ଲାଣ୍ଡ ମଧ୍ୟରେ ଅର୍ଥନୀତି ଓ ଶକ୍ତି ସମ୍ବଳ ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବା ପାଇଁ ମଧ୍ୟ ଏମ୍‌ଓୟୁରେ ସମ୍ମତି ପ୍ରକାଶ ପାଇଛି। ଏହି ତିନି ଅଞ୍ଚଳ ୟୁରୋପୀୟ ସଂଘରେ ରହିବା ଉଚିତ ବୋଲି ମଧ୍ୟ ଚୁକ୍ତିରେ ସମ୍ମତି ରହିଛି। ୱେଲ୍ସରେ ମେ ମାସରେ ହୋଇଥିବା ସେନେଡ୍‌ ନିର୍ବାଚନରେ ପ୍ଲେଡ୍‌ ସାଇମ୍ରୁ ବିଜୟୀ ହେବା ପରେ ଏହି ପରିବର୍ତ୍ତନ ଆସିଛି। ଏହା ଫଳରେ ପ୍ରଥମ ଥର ପାଇଁ ୟୁକେର ଏହି ତିନି ରାଜ୍ୟରେ ସର୍ବବୃହତ୍‌ ଦଳଗୁଡ଼ିକ ସ୍ୱାଧୀନତା ସମର୍ଥକ ହୋଇଛନ୍ତି। ତେବେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍‌ ୟୁନାଇଟେଡ୍‌ କିଙ୍ଗଡମ୍‌ର ଏକତା ଉପରେ ଦୃଢ଼ ଆସ୍ଥା ରଖିଥିବା ବ୍ରିଟିସ୍‌ ସରକାର କହିଛନ୍ତି। ବର୍ତ୍ତମାନ ଜୀବନଯାପନ ଖର୍ଚ୍ଚ ହ୍ରାସ ଉପରେ ସରକାରଙ୍କ ଗୁରୁତ୍ୱ ରହିଛି, ସାମ୍ବିଧାନିକ ବିତର୍କ ଉପରେ ନୁହେଁ। ଅନ୍ୟପକ୍ଷରେ, କନ୍‌ଜରଭେଟିଭ୍‌ ଦଳର ଛାୟା ସ୍କଟିଶ୍‌ ସଚିବ ହ୍ୟାରିଏଟ୍‌ କ୍ରସ୍‌ ଏହି ବୈଠକକୁ ‘ବିଚ୍ଛିନ୍ନତାବାଦୀ ସମ୍ମିଳନୀ’ ଓ ‘ଦେଖାଣିଆ ଫଟୋ ଉଠାଣ’ ବୋଲି କହି ସମାଲୋଚନା କରିଛନ୍ତି।