ସୂଚନାଯୋଗ୍ୟ ଯେ, ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନେ ସାଉଦି ଆରବର ତୈଳ ଟ୍ୟାଙ୍କର ଏବଂ ଷ୍ଟୋରେଜ୍ ଉପରେ ଲଗାତାର ଆକ୍ରମଣ କରୁଛନ୍ତି । ନିକଟରେ ସେପ୍ଟେମ୍ବର ୧୦ ତାରିଖରେ ଇଷ୍ଟ-ୱେଷ୍ଟ ପାଇପଲାଇନ ଉପରେ ଆକ୍ରମଣ ହେବା ଫଳରେ ସୁରକ୍ଷା ଦୃଷ୍ଟିରୁ ଏହାକୁ ବନ୍ଦ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଲାଲ ସାଗର ଏବଂ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଆସିଥିବା ସଙ୍କଟ ଯୋଗୁଁ ସାଉଦିର ମୁଖ୍ୟ ରପ୍ତାନି କରିଡର ବିପଦରେ ପଡ଼ିଛି । ୟେମେନର ପଶ୍ଚିମ ଉପକୂଳରେ ଥିବା ମୋଖା ବନ୍ଦରକୁ ନିକଟରେ ହୁଥି ବିଦ୍ରୋହୀମାନେ ନିଜ ନିୟନ୍ତ୍ରଣକୁ ନେଇଯାଇଛନ୍ତି ।
ପାରସ୍ୟ ଉପସାଗରରେ ଟ୍ୟାଙ୍କର ଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ଆଶଙ୍କା ଥିବାରୁ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ପାର୍ କରିସାରିଲାଣି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ମାସରେ ସାଉଦି ଆରବର ଅଶୋଧିତ ତୈଳ ରପ୍ତାନି ପ୍ରାୟ ଏକ ତୃତୀୟାଂଶ ହ୍ରାସ ପାଇ ଦୈନିକ ମାତ୍ର ୩ ନିୟୁତ ବ୍ୟାରେଲରେ ପହଞ୍ଚିଥିଲା ।
ଏବେ ବଡ଼ ପ୍ରଶ୍ନ ଉଠୁଛି, ତୈଳ ଯୋଗାଣରେ ଏହି ବିପୁଳ ଶୂନ୍ୟସ୍ଥାନ କିଏ ପୂରଣ କରୁଛି? ତେବେ ଉତ୍ପାଦନ କମିଥିଲେ ମଧ୍ୟ ବିଶ୍ୱ ବଜାରକୁ ସାଉଦି ଆରବର ତୈଳ ଯୋଗାଣ ଅଗଷ୍ଟରେ ଦୈନିକ ୭.୧୨୨ ନିୟୁତ ବ୍ୟାରେଲ ରହିଥିଲା । ଏହାର ସ୍ପଷ୍ଟ ଅର୍ଥ ହେଉଛି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲେ ସୁଦ୍ଧା ସାଉଦି ଆରବ ନିଜର ଗଚ୍ଛିତ ଷ୍ଟକ ବା ରିଜର୍ଭରୁ ତୈଳ ଯୋଗାଇ ଏହି ଅଭାବକୁ ପୂରଣ କରୁଛି । ଏହାବ୍ୟତୀତ ଉପସାଗରୀୟ ଅଞ୍ଚଳ ବାହାରେ ଥିବା ଅନ୍ୟାନ୍ୟ ଅଣ-ଗଲ୍ଫ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଏହି ସମୟରେ ବିଶ୍ୱ ବଜାରରେ ନିଜର ଯୋଗାଣ ବୃଦ୍ଧି କରିଛନ୍ତି । ଯଦି ଯୁଦ୍ଧ ପରିସ୍ଥିତି ଏମିତି ଲାଗି ରହେ, ତେବେ ଆଗାମୀ ଦିନରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ତୈଳ ଦର ଆହୁରି ମହଙ୍ଗା ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
