ଦିଲ୍ଲୀର ଦୁଇଟି CBG ପ୍ଲାଣ୍ଟରେ ମ୍ୟୁନିସିପାଲ୍ ୱେଷ୍ଟକୁ କଞ୍ଚାମାଲ ଭାବେ ବ୍ୟବହାର କରାଯିବ। ଏଥିପାଇଁ ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ସହ ଚୁକ୍ତି ହୋଇଛି। ପ୍ରତିଦିନ ପ୍ରାୟ ୧,୫୦୦ ଟନ୍ ମ୍ୟୁନିସିପାଲ୍ ୱେଷ୍ଟ ଆବଶ୍ୟକ ହେବ। ଫରିଦାବାଦ, ଗୁରୁଗ୍ରାମ, ହିସାର ଏବଂ ଅମ୍ବାଲା/କୁରୁକ୍ଷେତ୍ରରେ ମଧ୍ୟ ପ୍ଲାଣ୍ଟ ସ୍ଥାପନ ଯୋଜନା ରହିଛି। ସେପଟେ ଶୁକ୍ରବାର ଓଏଲ୍ ଇଣ୍ଡିଆର ସେୟାର ୪୭୮.୯୫ ଟଙ୍କାରେ ଖୋଲିଥିଲା। ପରେ ବିକ୍ରି ଚାପରେ ଏହା ୪୭୩.୫୦ ଟଙ୍କା ପର୍ଯ୍ୟନ୍ତ ଖସିଥିଲା। ସକାଳ ୧୦:୪୮ରେ ସେୟାର ୪୭୪.୩୫ ଟଙ୍କାରେ କାରବାର କରୁଥିଲା।
ନୂଆଦିଲ୍ଲୀ: ତେଲ ଓ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନ କରୁଥିବା ମହାରତ୍ନ କମ୍ପାନୀ ଓଏଲ୍ ଇଣ୍ଡିଆ ଲିମିଟେଡ୍(OIL) ଏବେ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଆଗାମୀ ୩ ବର୍ଷରେ କମ୍ପାନୀ ପ୍ରାୟ ୧୫,୦୦୦ କୋଟି ଟଙ୍କା ନିବେଶ କରିବ। ଏହା ସହ ଦେଶର ବିଭିନ୍ନ ସ୍ଥାନରେ ୨୫ଟି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ବା CBG ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରହିଛି। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରଣଜିତ ରଥ କହିଛନ୍ତି, ଆଗାମୀ ୩ ବର୍ଷରେ ଅଫ୍ଶୋର୍ ଡିପ୍ ଓ ଅଲ୍ଟ୍ରା-ଡିପ୍ ବ୍ଲକ୍ରେ ତୈଳ ଓ ଗ୍ୟାସ୍ ଖୋଜା ପାଇଁ ପ୍ରାୟ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ତ୍ତମାନ ଆଣ୍ଡାମାନ, କୃଷ୍ଣା-ଗୋଦାବରୀ, ମହାନଦୀ ଏବଂ କେରଳ-କୋଙ୍କଣ ବେସିନ୍ରେ କମ୍ପାନୀର ଅଫ୍ଶୋର୍ କାର୍ଯ୍ୟକଳାପ ରହିଛି। କିଛି ଅଲ୍ଟ୍ରା-ଡିପ୍ ୱାଟର ବ୍ଲକ୍ରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୬,୦୦୦ ମିଟର ତଳେ ତୈଳ ଅନୁସନ୍ଧାନ ହେଉଛି।
କିନ୍ତୁ ଓଏଲ୍ ଇଣ୍ଡିଆର ଯୋଜନା କେବଳ ତେଲ ଓ ଗ୍ୟାସ୍ରେ ସୀମିତ ନୁହେଁ। ୨୦୪୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିଶନ୍ କମ୍ପାନୀ ହେବାର ଲକ୍ଷ୍ୟ ରଖିଛି OIL। ଏଥିପାଇଁ OIL ଗ୍ରୀନ୍ ଏନର୍ଜି ଲିମିଟେଡ୍ ମାଧ୍ୟମରେ କମ୍ପ୍ରେସ୍ଡ ବାୟୋଗ୍ୟାସ୍, ୱେଷ୍ଟ-ଟୁ-ଏନର୍ଜି, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ ଲୋ-କାର୍ବନ୍ ପ୍ରକଳ୍ପରେ ନିବେଶ କରାଯିବ। ଯୋଜନା ଅନୁସାରେ ଦେଶରେ ୨୫ଟି CBG ପ୍ଲାଣ୍ଟ ହେବ। ପ୍ରତ୍ୟେକ ପ୍ଲାଣ୍ଟରେ ପ୍ରାୟ ୧୫୦ରୁ ୧୮୦ କୋଟି ଟଙ୍କା ନିବେଶ ହେବ। ଓଡ଼ିଶାରେ ୭ରୁ ୮ଟି, ଆସାମରେ ୫ଟି, ହରିୟାଣାରେ ୪ଟି ଏବଂ ଦିଲ୍ଲୀରେ ୨ଟି ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରୁ ୨ଟି ପ୍ଲାଣ୍ଟର କାମ ଏବେ ଉନ୍ନତ ପର୍ଯ୍ୟାୟରେ ରହିଛି ଏବଂ ଖୁବଶୀଘ୍ର ଏହା ଚାଲୁ ହେବ।
