ନେପାଳ: ନେପାଳରେ ପ୍ରକୃତିର ତାଣ୍ଡବ । ମନାସ୍ଲୁ ଟ୍ରେକିଂ ଅଞ୍ଚଳରେ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ବନ୍ୟାରେ ପ୍ରାୟ ୪୦ଟି ଘର, ୬ଟି ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପର ଭିତ୍ତିଭୂମି ଭାସିଯାଇଛି । ପ୍ରାୟ ୧୦ ଜଣ ନିଖୋଜ ଥିବାବେଳେ ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ତେବେ ନେପାଳ ସେନା ୪୯ ଜଣଙ୍କୁ ଉଦ୍ଧାର କରିଛି । ପ୍ରାରମ୍ଭିକ SMS ସତର୍କ ସୂଚନା ଯୋଗୁଁ ଅନେକ ଲୋକ ଉଚ୍ଚ ସ୍ଥାନକୁ ଯାଇ ନିଜ ଜୀବନ ରକ୍ଷା କରିପାରିଛନ୍ତି ।
ରବିବାର ଭୋର ପ୍ରାୟ ୪ଟା ସମୟରେ କାଠମାଣ୍ଡୁଠାରୁ ପ୍ରାୟ ୧୦୦ କିଲୋମିଟର ପଶ୍ଚିମରେ ଥିବା ଚୁମନୁବ୍ରି ଅଞ୍ଚଳରେ ବୁଢ଼ୀ ଗଣ୍ଡକୀ ନଦୀ ନିକଟରେ ଏହି ଆକସ୍ମିକ ବନ୍ୟା ଆସିଥିଲା । ଭୂସ୍ଖଳନ ଯୋଗୁଁ ନଦୀର ଜଳପ୍ରବାହ ଅଟକି ରହିବା ଏବଂ ପରେ ହଠାତ୍ ପ୍ରତିବନ୍ଧକ ହଟିଯିବାରୁ ବନ୍ୟା ଆସିଥାଇପାରେ ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି । ତେବେ ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ବନ୍ୟାରେ ୩୫ରୁ ୪୦ଟି ଘର ଏବଂ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ନଷ୍ଟ ହୋଇଯାଇଛି । ଏହାସହ ଆଉ ୨୦ରୁ ୨୨ଟି ଘର ପ୍ରତି ବିପଦ ସୃଷ୍ଟି ହୋଇଛି । ୬ଟି ପୋଲ ଭାସିଯିବା କିମ୍ବା କ୍ଷତିଗ୍ରସ୍ତ ହେବାରୁ ଦୁର୍ଗମ ଅଞ୍ଚଳର ଅନେକ ବସତି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ସେହିପରି ନିର୍ମାଣାଧୀନ ୩୪୧ ମେଗାୱାଟ୍ କ୍ଷମତା ବିଶିଷ୍ଟ ବୁଢ଼ୀ ଗଣ୍ଡକୀ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣ ଶିବିର ଓ ଯନ୍ତ୍ରପାତି ମଧ୍ୟ ନଷ୍ଟ ହୋଇଛି ।
ଅନ୍ୟପଟେ, ଅରୁଘାଟ ଅଞ୍ଚଳରେ ନଦୀର ଜଳସ୍ତର ୮.୪ ମିଟରକୁ ବୃଦ୍ଧି ପାଇଥିଲା, ଯେତେବେଳେ ବିପଦ ସଙ୍କେତ ୫ ମିଟର ରହିଛି । ପରେ ବନ୍ୟାଜଳ ଜଳସ୍ତର ମାପ କରୁଥିବା ନିରୀକ୍ଷଣ କେନ୍ଦ୍ରକୁ ଭାସାଇ ନେଇଥିଲା । ଫଳରେ ଜଳସ୍ତର ସମ୍ପର୍କିତ ତଥ୍ୟ ରେକର୍ଡ କରିବାରେ ବାଧା ସୃଷ୍ଟି ହୋଇଛି । ବନ୍ୟା ବିପଦକୁ ଦୃଷ୍ଟିରେ ରଖି ଧାଡିଂ, ତନହୁନ, ଚିତୱନ ଏବଂ ପୂର୍ବ ଓ ପଶ୍ଚିମ ନୱଲପରାସୀ ଜିଲ୍ଲାକୁ ସତର୍କ କରାଯାଇଛି । ତ୍ରିଶୂଳୀ ଓ ନାରାୟଣୀ ନଦୀକୂଳରେ ରହୁଥିବା ଲୋକଙ୍କୁ ନଦୀଠାରୁ ଦୂରରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଏପରିକି ନଦୀର ଉପରମୁଣ୍ଡରେ ପୁଣି ଜଳପ୍ରବାହ ଅଟକି ରହିଥିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ ।
ସେପଟେ, ନେପାଳର ଲୋକପ୍ରିୟ ମନାସ୍ଲୁ ଟ୍ରେକିଂ ସର୍କିଟ୍ ମଧ୍ୟ ଏହି ବନ୍ୟା ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି । ଜଗତରେ ୧୦୦ରୁ ଅଧିକ, ଲୋକପାରେ ୧୭ ଜଣ ଏବଂ ଚୁମ୍ ଉପତ୍ୟକାର ଛେକମ୍ପାରରେ ପ୍ରାୟ ୪୦ ଜଣ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ତେବେ ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ଏବଂ ସେମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି । ନେପାଳରେ ପୂର୍ବରୁ ଘଟିଥିବା ଭୟଙ୍କର ବନ୍ୟାର ୪୫ ଦିନ ପରେ ପୁଣି ଏଭଳି ବିପର୍ଯ୍ୟୟ ଘଟିଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ନେଇ ଚିନ୍ତା ବଢ଼ିଛି । ନଦୀର ଜଳପ୍ରବାହ ଏବଂ ସମ୍ଭାବ୍ୟ ଭୂସ୍ଖଳନ ଉପରେ ପ୍ରଶାସନ ନଜର ରଖିଥିବାବେଳେ ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
