ବିମାନବନ୍ଦରରେ ହଠାତ୍ ପରିସ୍ଥିତି ଅତି ସମ୍ବେଦନଶୀଳ ହୋଇପଡ଼ିବାରୁ ସ୍ଥାନୀୟ ସୁରକ୍ଷା କର୍ମୀ ଏବଂ ଆମେରିକୀୟ ପୋଲିସ ତତକ୍ଷଣାତ୍ ହସ୍ତକ୍ଷେପ କରି ମହମ୍ମଦ ୟୁନୁସଙ୍କୁ ସୁରକ୍ଷିତ ଭାବେ ସେଠାରୁ ସ୍ଥାନାନ୍ତରିତ କରିଥିଲେ। ଅନ୍ୟପକ୍ଷରେ, ଏହି ଅପ୍ରୀତିକର ପରିସ୍ଥିତି ଓ ଅସଦାଚରଣକୁ ବାଂଲାଦେଶର ବର୍ତ୍ତମାନର ପ୍ରଶାସନ ତଥା ବିଭିନ୍ନ ମହଲରୁ ଦୃଢ଼ ନିନ୍ଦା କରାଯାଇଛି। ଏଭଳି ଅନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ କ୍ଷୁଣ୍ଣ କରୁଥିବା ଘଟଣାକୁ ଆଉ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି।
ନ୍ୟୁୟର୍କ: ବାଂଲାଦେଶର ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ତଥା ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ଆମେରିକାର ନ୍ୟୁୟର୍କସ୍ଥିତ ଜନ୍ ଏଫ୍ କେନେଡି ବିମାନବନ୍ଦରରେ ପ୍ରବାସୀ ବାଂଲାଦେଶୀମାନଙ୍କ ତୀବ୍ର ବିରୋଧ ଓ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ କିଛି ପ୍ରବାସୀ ବାଂଲାଦେଶୀ ତାଙ୍କୁ ଘେରିଯାଇ “ଆପଣ ଜଣେ ଆତଙ୍କବାଦୀ, ବାଂଲାଦେଶରେ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି, ଏଠାକୁ କାହିଁକି ଆସିଛନ୍ତି?” ବୋଲି ପାଟି କରି ପ୍ରଶ୍ନ କରିଥିବା ଏବଂ ତାଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି।
ସାମ୍ନାକୁ ଆସିଥିବା ଏହି ଘଟଣା ଅନୁଯାୟୀ, ଟର୍ମିନାଲ୍ ୮ ନିକଟରେ ଏଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସରକାରର ପତନ ପରେ ଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା, ସଂଖ୍ୟାଲଘୁଙ୍କୁ ଅତ୍ୟାଚାର ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ବିଭିନ୍ନ ହିଂସାତ୍ମକ ଘଟଣାକୁ ନେଇ ପ୍ରବାସୀଙ୍କ ମଧ୍ୟରେ ଏହି ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।
