ନୂଆଦିଲ୍ଲୀ : ପୁଣି ଦିଲ୍ଲୀରେ ଭୁଶୁଡିଲା ବିଲ୍ଡିଂ । ଇଷ୍ଟ ଦିଲ୍ଲୀର ବିବେକ ବିହାର ଫେଜ-୨ ଏକ ଆବାସିକ କୋଠା ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ପିଣ୍ଟୁ ନାମକ ଜଣେ ୩୫ ବର୍ଷୀୟ ଯୁବକ ଓ ଅନ୍ୟ ଜଣେ ୩ ବର୍ଷର ଶିଶୁ । ଛାତର ଭଗ୍ନାବଶେଷ ତଳେ ୬ରୁ ଅଧିକ ବ୍ୟକ୍ତି ଫସି ରହିଥିବା ସନ୍ଦେହ କରାଯାଉଛି । ଫସି ରହିଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ଅଭିଯାନ ଜାରି ରହିଛି ।
ଖବର ମୁତାବକ, ବିବେକ ବିହାର ଅଞ୍ଚଳ ଫେଜ-୨ ରେ ଥିବା ଘରେ ଗୋଟିଏ କିମ୍ବା ଅଧିକ ପରିବାରର ୮ ସଦସ୍ୟ ଭଡ଼ାରେ ରହୁଥିଲେ । ଆଜି ସକାଳେ ଛାତଟି ବହୁ ପୁରୁଣା କିମ୍ବା ନିମ୍ନମାନର ହୋଇଥିବାରୁ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି । ସକାଳ ୧୦.୩୦ ମିନିଟରେ ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସମେତ ସୁରକ୍ଷା କର୍ମୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କରାଯିବା ପରେ ଆହତଙ୍କୁ ହସ୍ପିଟାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ରହିଛି ।
ବିଜେପି କାଉନସିଲର ପଙ୍କଜ ଲୁଥ୍ରା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଭୁଶୁଡ଼ିଥିବା ଆବାସିକ କୋଠାଟି ରେଳ ବିଭାଗ ଅଧୀନରେ ରହିଛି । ଦୀର୍ଘ ୫ରୁ ୬ ଦଶନ୍ଧି ଧରି ଏହା ରେଳ ବିଭାଗ ଅଧୀନରେ ଥିବା ବେଳେ ଏଥିରେ ବେଆଇନ ନିର୍ମାଣ ହୋଇଥିବା କହିଛନ୍ତି କାଉନସିଲର ।ସୂଚନାଯୋଗ୍ୟ, ଗତସପ୍ତାହରେ ମଧ୍ୟ ଦିଲ୍ଲୀରେ ଏକ ନିର୍ମାଣାଧିନ କୋଠା ଭୁଶୁଡି ପଡିଥିଲା । ଏଥିରେ ଚାପି ହୋଇ ଅନେକ ଶ୍ରମିକ ଆହତ ହୋଇଥିଲେ ।
