ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁ ଯୋଗ ଦେଇଛନ୍ତି।

‘ଟୁଇଟର୍‌’ରେ ଫଟୋ ସେୟାର୍‌ କରି ସିଦ୍ଧୁ ଲେଖିଛନ୍ତି, ସମ୍ମାନ, ସତ୍ୟନିଷ୍ଠା ଏବଂ ପ୍ରତ୍ୟେକ ମହିଳାଙ୍କ ମର୍ଯ୍ୟାଦା ପାଇଁ ଏ ସଂଗ୍ରାମ। ‘ଡବ୍ଲୁଏଫ୍‌ଆଇ’ ମୁଖ୍ୟଙ୍କୁ ହାଜତରେ ଜେରା କରାଯାଉ ବୋଲି ମଧ୍ୟ ସେ କହିଛନ୍ତି।

ବ୍ରଜଭୂଷଣଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯିବାରେ ବିଳମ୍ବ ଘଟଣାରେ ସନ୍ଦେହ କରି ସିଦ୍ଧୁ କହିଛନ୍ତି, କେଉଁଟା ଠିକ୍‌ ଜାଣି ମଧ୍ୟ ତାହା ନ କରିବା ‌ହେଉଛି ସବୁଠୁ ବଡ଼ କାପୁରୁଷତା। ‘ଏଫ୍‌ଆଇଆର୍‌’କୁ ସର୍ବସାଧାରଣରେ ପ୍ରକାଶ ନ କରିବା କଥାରୁ ଜଣାପଡୁଛି ଯେ, ଏଥିରେ ଅଭିଯୋଗ ସାମାନ୍ୟ ଏବଂ ତାହା ଅଭିଯୋଗକାରୀଙ୍କ ପ୍ରମାଣ ସମ୍ବଳିତ ଅଭିଯୋଗ ନୁହେଁ। ସେମାନଙ୍କର ଉଦ୍ଦେଶ୍ୟ ସ‌ନ୍ଦେହଜନକ ମନେହେଉଥିବା ବ‌େଳେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ସେମାନେ ଚହୁଁଛନ୍ତି। ସେମାନେ କିଛି ଲୁଚାଇବାକୁ ଚାହୁଁଛନ୍ତି।

ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି, ଯଦି ଦେଶକୁ ଗ‌ୌରବାନ୍ବିତ କରିଥିବା ସମ୍ମାନସ୍ପଦା ତଥା କୃତ୍ବୀ ମହିଳାମାନଙ୍କ ପ୍ରତି ଏଭଳି କଦର୍ଯ୍ୟ ବ୍ୟବହାର କରାଯାଉଛି ତେବେ ସାଧାରଣ ଜନତାଙ୍କ କଥା ଟିକେ ଭାବି ଦେଖନ୍ତୁ।

Share