ପିଓକେରେ ଉତ୍ତେଜନା, ପାକିସ୍ତାନୀ ସେନାର ଗୁଳିମାଡ଼ରେ ୧୯ ମୃତ

POK

ନୂଆଦିଲ୍ଲୀ : ପାକିସ୍ତାନ ରାୱଲକୋଟରେ ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ସୁରକ୍ଷା ବାହିନୀର ଗୁଳିମାଡ଼କୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଗୁଳିମାଡ଼ରେ ୧୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି । ଏହାପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ଦେଖାଦେଇଛି । ଜଏଣ୍ଟ ଆୱାମୀ ଆକ୍ସନ କମିଟି ଏକ ଭିଡିଓ ଜାରି କରିଛି । ଭିଡିଓରେ JAAC କହିଛି, ବିରୋଧ ପ୍ରଦର୍ଶନକାରୀ ଚିନାର ଛକ ପହଞ୍ଚି ରାୱଲକୋର୍ଟରେ ମକବୁଲ ଭଟ ଶହିଦ ଛକରେ ରାତିରେ ରହିଥିଲା । ବିକ୍ଷୋଭ ସମୟରେ ପାକିସ୍ତାନୀ ସୁରକ୍ଷା ବାହିନୀ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି ।

JAAC ଦାବି କରିଛି, ଏହି ଘଟଣାରେ ରାୱଲକୋଟରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ସେୟାର କରାଯାଇଥିବା ଏକ ହାତଲେଖା ତାଲିକାରେ ମୃତକଙ୍କ ନାମ ରହିଛି । ଏହି ହିଂସା ପରେ ପିଓକେର ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହି ବିକ୍ଷୋଭ ପଛରେ ସ୍ଥାନୀୟ ରାଜନୈତିକ ପ୍ରତିନିଧିତ୍ୱ, ଆର୍ଥିକ ସମସ୍ୟା, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଜନସେବା ସମ୍ବନ୍ଧୀୟ ଦାବି ରହିଛି । ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି ।
ଜେଏଏସି ପକ୍ଷରୁ କୁହାଯାଇଛି ଯେ, ଗିରଫ ବିକ୍ଷୋଭକାରୀଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର ପାଇଁ ପ୍ରଶାସନ ରାଜି ହୋଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରି ଯାଇଛି । ଆଜିକୁ ୫୨ ଦିନ ହେଲା ଆନ୍ଦୋଳନ ଜାରି ରହିଛି । ବିକ୍ଷୋଭକାରୀ ଏବେ ମୁଜାଫରାବାଦ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି ।

ଏଭଳି ଘଟଣା ମଧ୍ୟରେ ଦୁଇଟି ଜିଲ୍ଲାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସ୍ଥଗିତ ରହିଛି । ଅଗଷ୍ଟ ୧୦ ପର୍ଯ୍ୟନ୍ତ ସୁଧନୋଟି ଏବଂ ରାୱଲକୋଟ ନିର୍ବାଚନ ମଣ୍ଡଳୀରେ ଭୋଟିଂକୁ ସ୍ଥଗିତ ରଖିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସୁରକ୍ଷା କାରଣରୁ କେତେକ ଅଞ୍ଚଳରେ ନିର୍ବାଚନ ମଧ୍ୟ ସ୍ଥଗିତ ରଖାଯାଇଛି । ସମଗ୍ର ଘଟଣା ଉପରେ ବିଶ୍ୱ ସମୁଦାୟର ନଜର ରହିଛି ।

Share