ଝାଡଖଣ୍ଡ: ଘରେ ରାଷେଇ ହୋଇଥିବା ଖାଦ୍ୟ ଫିଙ୍ଗିଦେବାରୁ ବାପା ମା’ ନିଜ ଜନ୍ମକଲା ସନ୍ତାନକୁ ପିଟିପିଟି ଜୀବନରୁ ମାରି ଦେଇଚନ୍ତି । ଘଟଣା ଘଟିଛି ଝାଡଖଣ୍ଡର ଡୁମ୍କା ଜିଲା ଅନ୍ତର୍ଗତ ହଂସଡିହା ଅଂଚଳରେ । ପୁଲିସ ସୂତ୍ରରୁ ପ୍ରକାଶ ଗତ ଗୁରୁବାର ସକାଳେ ଘରେ ରୋଷେଇ ହୋଇଥିବା ଖାଦ୍ୟକୁ ନେଇ ହଂସଡିହା ଅଂଚଳର ଗୋବର୍ଦ୍ଧନ ମାନ୍ଝି, ପତ୍ନୀ ଫୁଲନ ଦେବୀ ଓ ପୁଅ ମହେଶ ମାନଝିଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ମହେଶ ରାଗରେ ରୋଷେଇ ହୋଇଥିବା ଖାଦ୍ୟ ଫିଙ୍ଗିଦେବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାପା ଗୋବର୍ଦ୍ଧନ ଓ ମା’ଫୁଲନ ଦେବୀ ତାକୁ ଠେଙ୍ଗାରେ ପିଟିପିଟି ଜୀବନରୁ ମାରିଦେଇଥିଲେ ।
ଖବର ପାଇ ହଂସଡିହା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ଅଭିଯୁକ୍ତ ବାପା ମା’ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଏକ ମାମୁଲି ପାରିବାରିକ ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇଛି । ଏହି ଘଟଣାରେ ପରିବାରର ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ପୁଲିସ ସେ ନେଇ ତଦନ୍ତ ଚଳାଇଛି । ଝାଡ଼ଖଣ୍ଡରେ ଛୋଟଛୋଟ ଘଟଣାକୁ ନେଇ ହତ୍ୟାକାଣ୍ଡ କ୍ରମଶଃ ବଢିବାରେ ଲାଗିଛି ଯାହା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତ ନଭେମ୍ବର ୧୧ ତାରିଖରେ ନିକଟସ୍ଥ ସୋନୁଆ ପୁଲିସ ଷ୍ଟେସନ ଅନ୍ତର୍ଗତ ହାଡ଼ିମରା ଗ୍ରାମରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ସାମାନ୍ୟ ୫ ଶହ ଟଙ୍କା ପାଇଁ ପିଟି ମାରିଦିଆଯାଇଥିଲା । ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି ।
