କୁଜଙ୍ଗ:କୁନି ପୁଅ ସ୍କୁଲ ଯିବ । ବାପା-ମା’ ପୁଅକୁ ନେଇ ସ୍କୁଲରେ ଛାଡିବା ପାଇଁ ତତ୍ପର ଥିଲେ । ଏକାଠି ଯାଇଥିଲେ ପୁଅକୁ ଛାଡିବା ପାଇଁ । ହେଲେ  ପୁଅକୁ ସ୍କୁଲରେ ଛାଡି ଯାଇଥିବା ମା’ ଯେ ଏମିତି ଦୁନିଆ ଛାଡି ଚାଲିଯିବେ କିଏ ଜାଣିଥିଲା ? କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ଜଣେ ମହିଳାଙ୍କ ଜୀବନ ।

ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ଜନାପାଳ ଗାଁର ଇନ୍ଦିରା କଲୋନିରେ ରୁହନ୍ତି ସୁମନ୍ତ ବେହେରା(୪୦) । ଆଜି ସକାଳୁ ୫ ବର୍ଷର ପୁଅ ସୁପ୍ରଭାତ(୫)କୁ ସ୍କୁଲରେ ଛାଡିବା ସୁମନ୍ତ  ପତ୍ନୀ ଝିଲି (୨୮ ବର୍ଷ)ଙ୍କ ସହ ବାଇକରେ ଯାଉଥିଲେ  ।  ବାଟରେ ପଙ୍କପାଳ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ତାଙ୍କ ବାଇକକୁ  ପଛପଟୁ ଧକ୍କା ଦେଇଥିଲା ଏକ କାର (ଓଡି୦୫-ଏବି ୫୧୯୨)।  ଫଳରେ ଘଟଣାସ୍ଥଳରେ  ଝିଲିଙ୍କର ମୃତ୍ୟୁ ଘଟିଥିଲା ।  ଏଥିରେ ସୁମନ୍ତ ଓ ପୁଅ  ସୁପ୍ରଭାତ ଆହାତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ।  କାର୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ପୁଲିସ  କାରକୁ ଜବତ କରି  ତଦନ୍ତ ଆରମ୍ଭ କରିଛି। ଏଣେ କଟକ-ପାରାଦୀପ ରାସ୍ତାର ପଙ୍କପାଳ ଛକ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Share