Nia

ନୂଆଦିଲ୍ଲୀ: ଭାରତରେ ସକ୍ରିୟ ଥିବା ଅପରାଧୀ ସିଣ୍ଡିକେଟ୍‌ ଏବଂ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଏବଂ ପାକିସ୍ତାନ ଓ କାନାଡା ଭଳି ଦେଶରେ ରହୁଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଖୋଜି ବାହାର କରିବା ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏକ ବଡ଼ ଧରଣର ଅନ୍ତଃରାଜ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ସକାଳେ ଏନଆଇଏ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇ ଏବଂ ଅର୍ଶଦୀପ ଡାଲ୍ଲାଙ୍କ ଦ୍ୱାରା ପରିଚାଳିତ ଗ୍ୟାଙ୍ଗ୍‌ ସହ ଜଡ଼ିତ ୫୧ଟି ସ୍ଥାନରେ ଚଢ଼ାଉ କରିଛି। ପାକ୍‌ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ସହ ଲରେନ୍‌ସ ବିଷ୍ଣୋଇ ଏବଂ ଅର୍ଶଦୀପ ଡାଲ୍ଲାଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଥିଲା।

ଏନଆଇଏ ଅନୁଯାୟୀ, ଡାଲ୍ଲା ଏବଂ ଗୌରବ ପଟିଆଲଙ୍କ ଭଳି ପଳାତକମାନେ ବିଦେଶରେ ରହୁଛନ୍ତି। କିନ୍ତୁ ଖାଲିସ୍ତାନ ସମର୍ଥକଙ୍କ ସହ ଘନିଷ୍ଠ ଯୋଗାଯୋଗରେ ରହି ଟାର୍ଗେଟ କିଲିଂ ଏବଂ ଦାଦାବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଉଛନ୍ତି।

ଆଜି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ଏନଆଇଏ ଚଢ଼ାଉ କରିଥିଲା। କେବଳ ପଞ୍ଜାବରେ ଏନଆଇଏ ୩୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସିଣ୍ଡିକେଟ୍‌ ବିରୋଧରେ ମାମଲା ରୁଜୁ କରିବାର ଏକ ଅଂଶ ବିଶେଷ, ଯେଉଁଥିରୁ ଅଧିକାଂଶ ଏବେ ଦୁବାଇରୁ ପରିଚାଳିତ ହେଉଛି। ଗତ ବର୍ଷ ଅଗଷ୍ଟରେ ଏନଆଇଏ ଦ୍ୱାରା ରୁଜୁ ହୋଇଥିବା ତିନିଟି ଏବଂ କାନାଡାର ଲଖବୀର ସିଂହ ଓରଫ ଲାଣ୍ଡା ଓ ପାକିସ୍ତାନର ହରବିନ୍ଦର ସିଂ ରିଣ୍ଡା ଏବଂ ଆମେରିକାରେ ରହୁଥିବା ତଥା ନିଷିଦ୍ଧ ଶିଖ୍‌ ଫର ଜଷ୍ଟିସ ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ଗୁରପତୱନ୍ତ ସିଂ ପନ୍ନୁଙ୍କ ବିରୋଧରେ ଥିବା ମାମଲା ସହିତ ଏହି ଚଢ଼ାଉ ସମ୍ପୃକ୍ତ।

ଏଜେନ୍‌ସି ସୂତ୍ରରୁ ପ୍ରକାଶ ଯେ ଗୁରପତୱନ୍ତ ସିଂ ପନ୍ନୁ ଭାରତକୁ ବିଭାଜିତ କରି ଦେଶ ସୃଷ୍ଟି କରିବାକୁ ଚାହୁଁଛି। ଏତଦ୍‌ବ୍ୟତୀତ ଗ୍ୟାଙ୍ଗଷ୍ଟର ବିଷ୍ଣୋଇ, ଗୋଲ୍‌ଡି ବ୍ରାର ଏବଂ ବିକ୍ରମ ବ୍ରାରଙ୍କ ସମେତ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀ ବାମ୍ବିହା, କୌଶଲ ଚୌଧୁରୀ, ନୀରଜ ବୱାନା, ଦିଲପ୍ରୀତ ଏବଂ ସୁଖପ୍ରୀତ ଓରଫ ବୁଢ଼ାଙ୍କ ବିରୋଧରେ ମଧ୍ୟ ଏନ୍‌ଆଇଏ ମାମଲା ରୁଜୁ କରିଛି।

ଗତ ସପ୍ତାହରେ ଏନଆଇଏ ଚଣ୍ଡିଗଡ଼ ଏବଂ ଅମୃତସରରେ ପନ୍ନୁଙ୍କ ଥିବା ସମ୍ପତ୍ତିକୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅଧୀନରେ ଜବତ କରିଥିଲା। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଏବଂ ସକ୍ରିୟ କରିବା ଅଭିଯୋଗରେ ୨୦୧୯ରୁ ୱାଣ୍ଟେଡ୍‌ ଥିବା ପନ୍ନୁ ବିରୋଧରେ କେବଳ ପଞ୍ଜାବରେ ୨୨ଟି ଅପରାଧିକ ମାମଲା ରହିଛି, ଯାହା ମଧ୍ୟରୁ ତିନିଟି ହେଉଛି ଦେଶଦ୍ରୋହ ମାମଲା।

ଦୁଇ ଦିନ ପୂର୍ବରୁ ଏଜେନ୍‌ସି ପଞ୍ଜାବ ଓ ହରିୟାଣାର ୧୦୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲା। ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଯୋଜନା କରିଥିବା ଗୋଲ୍‌ଡି ବ୍ରାରଙ୍କ ସହ ଏମାନଙ୍କ ସମ୍ପର୍କ ରହିଥିଲା। ଗୋଲ୍‌ଡି ବ୍ରାର ଆଜି ଭାରତର ‘ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର’ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ସଂପ୍ରତି ଦେଶଛାଡ଼ି କାନାଡାରେ ରହୁଛି।

Share