ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅମୃତସର ବଦଳରେ ଦିଲ୍ଲୀରେ ହେଲା ଜରୁରୀ ଅବତରଣ । ଦିଲ୍ଲୀରୁ ଅମୃତସର ଆସୁଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ସୋମବାର ରାତିରେ ସାମାନ୍ୟ ଭୁଲ୍ ବଶତଃ ପାକିସ୍ତାନ ଆକାଶ ସୀମା ମଧ୍ୟକୁ ଚାଲିଯାଇଥିଲା । ବିମାନର ନେଭିଗେସନ୍ ସିଷ୍ଟମରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନେଇ ପାକିସ୍ତାନ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ତୁରନ୍ତ ସତର୍କ ସୂଚନା ଜାରି କରାଯାଇଥିଲା । ବର୍ତ୍ତମାନ ଭାରତୀୟ କର୍ତ୍ତୃପକ୍ଷ ଏହାର ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଛନ୍ତି । ଜୁନ୍ ୨୨ ତାରିଖ ରାତି ପ୍ରାୟ ୯ଟା୧୮ ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରୁ Airbus A321 ଅମୃତସର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।
ଅମୃତସରର ଶ୍ରୀଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ପହଞ୍ଚିବା ପରେ ପ୍ରବଳ ବିମାନ ଚଳାଚଳ ଯୋଗୁଁ ପାଇଲଟ୍ ବିମାନକୁ ଅବତରଣ ନକରି ଉଡ଼ାଣ କରିଥିଲେ । ଏହି ସମୟରେ ଦିଗ ବଦଳାଇବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଭୁଲରେ କିଛି ସମୟ ପାଇଁ ପାକିସ୍ତାନୀ ସୀମା ଭିତରକୁ ପଶି ଯାଇଥିଲା । ପାକିସ୍ତାନ ATC ଏହି ଅନୁପ୍ରବେଶକୁ ତୁରନ୍ତ ଚିହ୍ନଟ କରି ଭାରତୀୟ ପାଇଲଟଙ୍କୁ ସୂଚନା ଦେଇଥିଲା । ଫଳରେ ବିମାନର କ୍ରୁ ସଦସ୍ୟମାନେ ସଙ୍ଗେ ସଙ୍ଗେ ନିଜର ଭୁଲ୍ ସୁଧାରି ନେଇ ସୁରକ୍ଷିତ ଭାବେ ଭାରତୀୟ ଆକାଶ ସୀମାକୁ ଫେରି ଆସିଥିଲେ। ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ଯାତ୍ରୀ ।
ସୀମାରୁ ଫେରିବା ପରେ ଅମୃତସର ବିମାନବନ୍ଦରରେ ପ୍ରବଳ ଭିଡ଼ ଥିବା ଯୋଗୁଁ ଏବଂ ଯାନ୍ତ୍ରିକ ଯାଞ୍ଚର ଆବଶ୍ୟକତା ଥିବାରୁ ବିମାନକୁ ପୁଣି ଦିଲ୍ଲୀ ଆଡ଼କୁ ବୁଲାଇ ଦିଆଯାଇଥିଲା । ଦିଲ୍ଲୀରେ ସମ୍ପୂର୍ଣ୍ଣ ପ୍ରଯୁକ୍ତିଗତ ଯାଞ୍ଚ ଶେଷ ପରେ ବିମାନଟି ପୁଣି ଥରେ ଉଡ଼ାଣ ଭରିଥିଲା । ଜୁନ୍ ୨୩ ତାରିଖ ଭୋର ପ୍ରାୟ ୨ଟା ୨୦ ମିନିଟରେ ସୁରକ୍ଷିତ ଭାବେ ଅମୃତସରରେ ଅବତରଣ କରିଥିଲା । ଏହି କାରଣରୁ ଯାତ୍ରୀମାନଙ୍କୁ ପ୍ରାୟ ଚାରି ଘଣ୍ଟା ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି ଘଟଣାକୁ ସ୍ୱୀକାର କରି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଅମୃତସର ବିମାନବନ୍ଦରରେ ‘ଗୋ-ଆରାଉଣ୍ଡ’ ପ୍ରକ୍ରିୟା ସମୟରେ ବିମାନଟି ସାମାନ୍ୟ ଭାବେ ପାକିସ୍ତାନ ଆକାଶ ସୀମାକୁ ସ୍ପର୍ଶ କରିଥିଲା । ଏ ସମ୍ପର୍କରେ ଡିଜିସିଏ ସମେତ ସମସ୍ତ ନିୟାମକ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ଏବଂ ଅନ୍ତରୀଣ ତଦନ୍ତ ଚାଲିଛି । ଆମ ପାଇଁ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।
ଅମୃତସର ବିମାନବନ୍ଦର ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ଏହାକୁ ଏକ ସାଧାରଣ ଘଟଣା ବୋଲି କହିଛନ୍ତି। ବିମାନଟି ପାକିସ୍ତାନ ସୀମା ମଧ୍ୟକୁ ମାତ୍ର ୧.୫ ମାଇଲ୍ ଭିତରକୁ ଯାଇଥିବାରୁ ଏଥିରେ ବିଶେଷ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ରାଜନୈତିକ ତିକ୍ତତା ଯୋଗୁଁ ଏପ୍ରିଲ ୨୦୨୫ ଠାରୁ ଭାରତୀୟ ବିମାନ ପାଇଁ ପାକିସ୍ତାନ ନିଜ ଆକାଶ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛି । ତେବେ ଏହି ଜରୁରୀ ପରିସ୍ଥିତିରେ ଦୁଇ ଦେଶର ATC ମଧ୍ୟରେ ରହିଥିବା ସଠିକ୍ ସମନ୍ୱୟ ଯୋଗୁଁ କୌଣସି ବଡ଼ ବିବାଦ ଉପୁଜି ନାହିଁ । ବର୍ତ୍ତମାନ ଏହି ଯାନ୍ତ୍ରିକ ତ୍ରୁଟିର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି । ସେହିପରି ନିକଟରେ ଖରାପ ପାଗ ଯୋଗୁଁ ଏକ ପାକିସ୍ତାନୀ ବିମାନ ମଧ୍ୟ ଭାରତୀୟ ସୀମାରେ ପ୍ରବେଶ କରିଥିବା ନଜିର ରହିଛି ।

