Image 1696055116

ଲକ୍ଷ୍ନୌ : ଶିକ୍ଷକଙ୍କୁ ଘାରିଛି ରିଲ୍‌ କରିବା ନିଶା। ସ୍କୁଲରେ ପାଠ ପଢ଼ାଇବା ବଦଳରେ କରୁଛି ରିଲ୍‌ । ଆଉ ତାହାକୁ ଲାଇକ୍‌, ସବ୍‌ସ୍କ୍ରାଇବ କରିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରୁଛନ୍ତି। ଏପରି ନ କଲେ ମାଡ଼ ମାରିବାର ଧମକ ବି ଦେଉଛନ୍ତି। ଏପରି ଏକ ଅଜବ ଘଟଣା ଉତ୍ତରପ୍ରଦେଶର ଅମରୋଡ ଜିଲ୍ଲାରେ ଘଟିଛି। ଏନେଇ ସମ୍ପୃକ୍ତତ ଛାତ୍ରଛାତ୍ରୀଙ୍କ ପିତାମାତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପିଲାଙ୍କ ଅଭିଯୋଗ ଅନୁଯାୟୀ, ଜଣେ ଶିକ୍ଷୟିତ୍ରୀ ସବୁଦିନ ସ୍କୁଲରେ ରିଲ୍ସ କରୁଥିବା ବେଳେ ଅନ୍ୟ ଜଣେ ଏହାର ଶୁଟ୍‌ କରିଥାନ୍ତି। ଏପରିକି ସ୍କୁଲ ଡ୍ୟୁଟି ସମୟରେ ସେମାନେ ଏହି କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ର। ଏନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଶିକ୍ଷାଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି।
ଶିକ୍ଷକମାନଙ୍କୁ ରିଲ୍ସ ନିଶା ଘାରିଥିବାରୁ ସ୍କୁଲରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ରହୁ ନ ଥିବା ତଥା ଠିକ୍‌ ଭାବେ ପାଠ ପଢ଼ା ହେଉ ନ ଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ମାତ୍ର ଶିକ୍ଷୟିତ୍ରୀମାନେ ଏହାକୁ ଅସ୍ୱିକାର କରିଛନ୍ତି ଓ ସ୍କୁଲରେ କେବଳ ସେମାନେ ଶିକ୍ଷାଦାନ ଉପରେ ଧ୍ୟାନକେନ୍ଦ୍ରିତ କରୁଥିବା ଜଣାଯାଇଛି। ସ୍କୁଲରେ ସେମାନେ କେବଳ ଶିକ୍ଷା ସମ୍ବନ୍ଧିୟ ଭିଡିଓ ପ୍ରସ୍ତୁତ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ନିଜ ସଫେଇରେ କହିଛନ୍ତି।

Share