Capital hospital 750x430

ଭୁବନେଶ୍ଵର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଠିକଣା । ବଢ଼ୁଥିବା ଲୋକସଂଖ୍ୟା ଓ ସଂପ୍ରସାରିତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ସରକାର କ୍ୟାପିଟାଲ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ଚନ୍ଦ୍ରଶେଖରପୁର-ପଟିଆ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୩୫ ଏକର ଜାଗା ଯୋଗାଇ ଦିଆଯିବ । ଏହି ହସ୍ପିଟାଲର ଶଯ୍ୟା ସଂଖ୍ୟା ୪ ଗୁଣା ବୃଦ୍ଧି ପାଇବ ।

ରାଜଧାନୀରେ ସ୍ୱାସ୍ଥ୍ୟ ସ୍ୱତନ୍ତ୍ର ଭିତ୍ତିଭୂମି ନେଇ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଆରମ୍ଭରୁ ୟୁନିଟ୍‌-୬ ଅଞ୍ଚଳରେ ଏହି କ୍ୟାପିଟାଲ ହସ୍ପିଟାଲ୍‌ ରହିଛି । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ସଂଖ୍ୟାର ରୋଗୀ ଆସିଥାନ୍ତି । ଏହି ଅଞ୍ଚଳ ଉଚ୍ଚ ସୁରକ୍ଷା ବଳୟ ଭିତରେ ମଧ୍ୟ ରହିଛି। ଅନ୍ୟପଟେ ବିମାନବନ୍ଦର, ସଚିବାଳୟ, ବିଧାନସଭା, ଭିଆଇପି କ୍ଵାର୍ଟର୍ସ, ଓୟୁଏଟି ଆଦି ଲାଗି ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତା ସବୁବେଳେ ଜାମ୍ ରହୁଛି। ଆଗକୁ ଯଦି କ୍ୟାପିଟାଲ ହସ୍ପିଟାଲର ଭିତ୍ତିଭୂମିକୁ ବଢ଼ାଯାଏ, ତେବେ ଏହି ଅଞ୍ଚଳରେ ଟ୍ରାଫିକ୍ କ୍ଷେତ୍ରରେ ଏକ ବିରାଟ ସମସ୍ୟା ସୃଷ୍ଟି ହେବ। ଏଣୁ ଏହି ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରୁଛନ୍ତି ।

ଏବେ କ୍ୟାପିଟାଲ ହସ୍ପିଟାଲରେ ଏବେ ୭୫୦ ଶଯ୍ୟା ରହିଛି । ଏହା ସ୍ଥାନାନ୍ତର ହେବା ପରେ ଶଯ୍ୟା ସଂଖ୍ୟା ୩,୨୦୦କୁ ବୃଦ୍ଧି କରାଯିବ । ଏହି ଶଯ୍ୟାକୁ କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌ରେ ଦୁଇ ଭାଗରେ ବିଭକ୍ତ କରାଯିବ । ୫୦୦ ଲୋକ ବସିବା ଭଳି ଅଡିଟୋରିୟମ୍‌ ଓ ୨ ହଜାର କର୍ମଚାରୀଙ୍କ ପାଇଁ ବାସଗୃହ ନିର୍ମାଣ ହେବ । ଏଥିପାଇଁ ୬୫୦ ସରକାରୀ କ୍ବାର୍ଟର୍ସ ଖାଲି କରିବା ସହିତ ୫୦୦ ବସ୍ତି ଲୋକଙ୍କୁ ହଟାଇବାକୁ ପଡ଼ିବ । ତେଣୁ କ୍ୟାପିଟାଲ ହସ୍ପିଟାଲ୍‌କୁ ଦୁଇ ଭାଗ କରି ରାଜଧାନୀର ଦୁଇ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Share