Sushil modi republic bharat 750x430

ପାଟନା: ଇଣ୍ଡିଆ ମେଣ୍ଟକୁ ନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଦିନ ଯାଏ ବି ମେଣ୍ଟରେ ଥିବା ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ହୋଇପାରିବ ନାହିଁ। ଏଥିରେ ଥିବା ଦଳମାନେ ନାଟକ କରୁଛନ୍ତି। ସେମାନେ ସଂଗଠିତ ନୁହନ୍ତି, କିନ୍ତୁ ଇଣ୍ଡିଆ ମେଣ୍ଟର ଅଂଶୀଦାର ବୋଲି ଦେଖାଇ ହେଉଛନ୍ତି। ସେମାନେ ଏକଜୁଟ ଥିବାର ନାଟକ କରୁଛନ୍ତି। ଏମାନେ ପରେ କହିବେ ଏହା ମିତ୍ରତାପୂର୍ଣ୍ଣ ଲଆେଇ।
ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ବିହାର କଂଗ୍ରେସ ନେତୃତ୍ବ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ ଘୋଷଣା ନ କରିବାକୁ ଦଳକୁ ତାଗିଦ୍ କରିଛି। ଏହାର ପ୍ରତିବାଦରେ ଜେଡିୟୁ ଏକତରଫା ଭାବେ ଅରୁଣାଚଳ ପ୍ରଦେଶରେ ପ୍ରାର୍ଥୀ ଘୋଷଣା କରି ପରୋକ୍ଷରେ ମେଣ୍ଟକୁ ଚାଲେଞ୍ଜ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟକୁ ବାଜିମାତ ଦେବାକୁ ଗଠିତ ବିରୋଧୀ ଇଣ୍ଡିଆ ମେଣ୍ଟର ଆଜି ବସିଥିବା ପ୍ରଥମ ଆସନ ବୁଝାମଣା ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ସେହିଭଳି ଅନ୍ୟତମ ସହଯୋଗୀ ଆର୍‌ଜେଡି ଓ ଜେଡିୟୁ ମଧ୍ୟ ନିଜର ଆସନ ସଂଖ୍ୟା ସ୍ପଷ୍ଟ କରିଦେଇଥିବାରୁ ଜେଡିୟୁ ସହ ବୈଠକ ମଧ୍ୟ ଅମିମାଂସିତ ରହିଛି। ଆପ୍‌ ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବରିଷ୍ଠ ‌କଂଗ୍ରେସ ନେତା ତଥା ରାଜ୍ୟସଭା ସଦସ୍ୟ ମୁକୁଲ ୱାସନିକଙ୍କ ଘରେ ବୈଠକ ବସିଥିଲା। ଆପ୍‌ ପଞ୍ଜାବରେ କୌଣସି ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ କରିଦେଇଥିଲା। ଫଳରେ ପଞ୍ଜାବ ନିମନ୍ତେ ଉଭୟ ଦଳ ମଧ୍ୟରେ କୌଣସି ବୁଝାମଣା ହୋଇପାରିନାହିଁ।

Share