4ac93d2e b26e 442b 9ae3 6a41a8632d64 750x430

ରାୟଗଡ଼ା: ବୁଧବାର ରାତି ପ୍ରାୟ ୧୧ଟାରେ ରାୟଗଡ଼ା ଏବଂ ଜେକେପୁର ମଧ୍ୟରେ ଥିବା ଦେବଦଳାଗୁଡା ଗ୍ରାମ ନିକଟରେ ଘଟିଥିବା ଟ୍ରେନ ଧକ୍କାରେ ଦୁଇ ଜଣ ଯୁବକଙ୍କର ଅକାଳ ମୃତ୍ୟୁ ନେଇ ଉତ୍ତେଜିତ ଗ୍ରାମବାସୀ କ୍ଷତିପୂରଣ ପରେ ରେଳଧାରଣାରୁ ମୃତଦେହ ଉଠାଇଛନ୍ତି। ମୃତ ଦୁଇ ଯୁବକ ହେଲେ ଆମିସିରାଓ ପୁଲାକା ଓ ଶିବାନା କାଡ୍ରାକା।
ଆଜି ସକାଳେ ଗ୍ରାମବାସୀ ରେଳ ଧାରଣାରେ କ୍ଷତିପୂରଣ ନେଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଶହ ଶହ ଗ୍ରାମବାସୀ ଦୁଇମୃତକଙ୍କ ପରିବାରକୁ କୋଟିଏ ଟଂକା ଲେଖାଏଁ ଦେବାକୁ ଦାବି କରିଥିଲେ। ଘଟଣାସ୍ଥଳରେ ଜିଆରପି ପୁଲିସ, ଚାନ୍ଦିଲି ପୁଲିସ, ରେଳ ବିଭାଗର ଅଧକାରୀ, ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ତହସିଲଦାର,ଅତିରିକ୍ତ ପୁଲିସ ଏସପି ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ବୁଝାସୁଝା କରିଥିଲେ।ତେବେ କୌଣସି ଲୋକଙ୍କ କଥାକୁ ଗ୍ରାମବାସୀ ଶୁଣିନଥିଲେ। ଅକାଳରେ ଦୁଇ ଜୀବନ ରେଳ ବିଭାଗ ନେଇଥିବାରୁ କ୍ଷତି ପୂରଣ ନମିଳିବା ଯାଏ ରେଳ ଧାରଣାରୁ ଶବ ହଟାଇବୁ ନାହିଁ ବୋଲି ସ୍ପଷ୍ଟ କରିଥିଲେ।ରେଳ ବିଭାଗର ଅଧିକାରୀ ଏବଂ ମନ୍ତ୍ରୀ ଆସିଲେ ହିଁ ଏଠାରୁ ଶବ ହଟିବ ବୋଲି ଜିଦରେ ଅଟଳ ଥିଲେ। ରାତିରେ କାହିଁକି ତୃତୀୟ ଲାଇନରେ କୌଣସି ସତର୍କତା ସୂଚନା ନଦେଇ ପରୀକ୍ଷଣ କରାଯାଉଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ ପ୍ରଶାସନ ଲୋକଙ୍କୁ ବୁଝାଇ ବୁଝାଇ ନାକେଦମ ହୋଇଯାଇଥିଲା। ପରେ ଜିଲ୍ଲା ପ୍ରଶାସନ ତରଫରୁ ୫୦ ହଜାର ଟଂକା ଏବଂ ରେଳ ଠିକାଦାର ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବାରୁ ଗ୍ରାମବାସୀ ବୁଝିଥିଲେ।
ପ୍ରକାଶ ଥାଉକି ରେଳ ବିଭାଗ ତରଫରୁ ତୃତୀୟ ରେଳ ଲାଇନର କାମ ଇତି ମଧ୍ୟରେ ରାୟଗଡା ଏବଂ ଜେକେପୁର ମଧ୍ୟରେ ସମାପ୍ତ ହୋଇଥିବା ବେଳେ ପରୀକ୍ଷଣ ପାଇଁ ରେଳ ଇଞ୍ଜିନ ଏହି ତୃତୀୟ ରେଳ ଲାଇନରେ ଚାଲିଥିଲା। ଦେବଦଳଗୁଡା ଗ୍ରାମର ମୃତ୍ୟୁବରଣ ଦୁଇ ଯୁବକ ରେଳ ଧାରଣ ଉପରେ ବସିଥିଲେ ନଚେତ କିଛି କାମ କରୁଥିବା ବେଳେ ହଠାତ୍ ରେଳ ଇଞ୍ଜିନ ଏମାନଙ୍କ ଉପରେ ଚଢିଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଏମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଏପରିକି ଦୁଇ ଯୁବକଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା।

Share