ରାୟଗଡ଼ା : ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଷାନ ଭିଜିଲାନ୍ସରେ ଧରା ପଡ଼ିଥିଲେ। ଯନ୍ତ୍ରୀ କିଷାନ ରାତି ପ୍ରାୟ ୭.୩୦ରେ ଜଣେ ଠିକାଦାରଙ୍କଠାରୁ ୧ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗାଡ଼ିରେ ଯିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍। ଗୁରୁବାର ସକାଳେ ଯନ୍ତ୍ରୀଙ୍କ ନିଜ ଘର ସମ୍ବଲପୁରରେ ଚଢ଼ାଉ କରାଯାଇ ବ୍ୟାଙ୍କ ଓ ମ୍ୟୁଚିଆଲ ଫଣ୍ଡରେ ଜମାଥିବା ୫୦ ଲକ୍ଷ ଟଙ୍କାର ନଥିପତ୍ର,୧୦୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯିବା ସହ ତାଙ୍କ ନାମରେ ସମ୍ବୁଲପୁର ଅଞ୍ଚଳରେ ୨ଟି ପ୍ଲଟ୍ ରହିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଅଧୀକ୍ଷଣ ଯନ୍ତ୍ରୀ କିଷାନ ଲାଞ୍ଚ ନେଉଥିବା ଭିଜିଲାନ୍ସରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଏସ୍ପି ରବୀନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଡିଏସ୍ପି ସଦାନନ୍ଦ ପାଣି, ଅଭୟ ପ୍ରଧାନ ଏବଂ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ରାୟଗଡ଼ାରେ ବୁଧବାର ତାଙ୍କୁ ଜଗିଥିଲେ। ଟଙ୍କା ନେଇ ବିଭାଗର ଏକ ସ୍କର୍ପିଓ ଗାଡ଼ି (ଓଡି ୧୮ଏନ୍ ୭୯୫୭)ରେ ଯିବା ସମୟରେ ଅଧୀକ୍ଷଣ ଯନ୍ତ୍ରୀ କିଷାନଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ତାଙ୍କଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ଏହାପରେ ସେଠାରୁ ଶିରିଗୁଡ଼ାସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିଭିନ୍ନ ନଥିପତ୍ର ଜବତ କରିଛି। ଏହା ବ୍ୟତୀତ ବ୍ରାହ୍ମଣସାହି ନିକଟ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମେତ ତାଙ୍କ ସରକାରୀ ବାସଭବନ ଓ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଜବତ ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଯନ୍ତ୍ରୀ କିଷାନଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ୨୦୧୬ ମାର୍ଚ୍ଚ ୨୯ରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ପାଇ ସମ୍ବଲପୁର ଡିଭିଜନ ଏବଂ ପରବର୍ତ୍ତୀ ସମୟରେ ଭବାନୀପାଟଣା ଓ ରାୟଗଡାରେ କାର୍ଯ୍ୟରତ ଥିଲେ। ୨୦୨୨ରେ ନିର୍ବାହୀ ଯନ୍ତ୍ରୀ ଏବଂ ୧ ମାର୍ଚ୍ଚ ୨୦୨୫ରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ରାୟଗଡ଼ାରେ କାର୍ଯ୍ୟରତ ଥିଲେ।
