ଭୁବନେଶ୍ବର: ଏଥର ସ୍କୁଲରେ ଆଡ଼ମିଶନ ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ସ୍କୁଲ ଡ୍ରପ୍ ଆଉଟ୍ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ଭେ କରାଯାଇଛି । ଚାଇଲ୍ଡ ଟ୍ରାକିଂ ସର୍ଭେ ବିଭାଗ ତରଫରୁ କରାଯାଇଛି । ପିଲା କେଉଁ କାରଣରୁ ଡ୍ରପ୍ ଆଉଟ୍ ହେଉଛନ୍ତି ଏବଂ ସ୍କୁଲକୁ ଯାଉନାହାନ୍ତି ଏନେଇ ୧୮ ବର୍ଷ ବୟସର ପିଲା ମାନଙ୍କର ସର୍ଭେ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଡୋର୍ ଟୁ ଡୋର୍ ଯାଇ ଶିକ୍ଷକ ମାନେ ସର୍ଭେ କରିଛନ୍ତି । ସେହି ସର୍ଭେ ରିପୋର୍ଟ ଆସିଲା ପରେ ପଦକ୍ଷେପ ନେବେ ସରକାର । ସରକାର ରିପୋର୍ଟକୁ ଅଧ୍ୟୟନ କରି କ’ଣ କରାଗଲେ ଡ୍ରପ୍ ଆଉଟ୍ କମିବ, ସେହି ଅନୁସାରେ ପଦକ୍ଷେପ ନେବେ ।
ଏହାସହ ସରକାରଙ୍କ ପକ୍ଷରୁ ଏସସି ଏସଟି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ କମାଇବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରାଯାଇଛି । ତେଣୁ ସରକାରଙ୍କ ପଦକ୍ଷେପ ଯୋଗୁଁ ଚଳିତ ଥର ପ୍ରାଥମିକ ସ୍ତରରେ ଅଧିକ ପିଲା ଆଡ଼ମିଶନ କରିଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।