ଯାଜପୁର /ଆନନ୍ଦପୁର: ଜୀବନ ନେଉଛି ଡାଇରିଆ । ସ୍ଥିତି ଅଣାୟତ । ଆତଙ୍କିତ ଅଞ୍ଚଳବାସୀ । ତେବେ ଯାଜପୁର ଜିଲ୍ଲାରେ ବୋଲ ମାନୁନି ଝାଡାବାନ୍ତି । ସ୍ଥିତି ଅଣାୟତ ଦିଗକୁ ଗତି କରୁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦କୁ ବୃଦ୍ଧି ପାଇବାରେ ଲାଗିଛି । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଝାଡ଼ାବାନ୍ତି ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ଗତ ୩ ଦିନ ଧରି ଝାଡାବାନ୍ତି ଆତଙ୍କ ଲାଗିରହିଛି । ଯାଜପୁର ରୋଡ଼ ମେଡିକାଲରେ ୨୬୦ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ବର୍ତମାନ ୫୫ଜଣ ଚିକିତ୍ସାଧୀନ ଥିବା ବେଳେ ୧୬ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଦାନଗଦି ମେଡିକାଲରେ ୭୮ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଜଣଙ୍କର ଏଠାରେ ମୃତ୍ୟୁ ହୋଇଥିବାବେଳେ ୧୩ ଜଣଙ୍କୁ କଟକ ଓ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏଠାରେ ବର୍ତମାନ ୧୦ ଜଣ ଚିକିତ୍ସାଧୀନ ଅଛନ୍ତି ।
ସେହିପରି କୋରେଇ ମେଡ଼ିକାଲରେ ଏବେ ସୁଦ୍ଧା ୮୯ ଜଣ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ଏଠାରେ ୧୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।
ଏପଟେ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ରାପିଡ୍ ଆକ୍ସନ ଟିମ୍ ଓ ଅଧିକ ବିଶେଷଜ୍ଞ ଦଳ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ମାର୍ଗ ଦର୍ଶିକା ଜାରୀ କରାଯାଇଛି । କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଲା କାରଣ ଏବେ ବି ଅସ୍ପଷ୍ଟ ରହିଛି । ଶିଳ୍ପାଞ୍ଚଳରେ ଦୂଷିତ ପିଇବା ପାଣି ନେଇ ଉଠିଲା ପ୍ରଶ୍ନ ।
ସେହିପରି ଆନନ୍ଦପୁର ସୀମାନ୍ତ ତରାଇଲୋ ଗାଁରେ ଲଗ୍ନଧରା ଭୋଜି ଖାଇ ଗାଁର ୨୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହେବା ସହ ୨ଜଣଙ୍କର ମୃତ୍ୟୁ ହୋଇଛି । ଲଗ୍ନଧରା ଭୋଜି ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆନନ୍ଦପୁର ଉପଖଣ୍ଡ ମେଡିକାଲ ୧୭ ଜଣ, ସାଇଁକୁଳରେ ୮ଜଣ ପୁରୁଷ ଏବଂ ମହିଳା ଚିକିିତ୍ସୀତ ହେଉଛନ୍ତି । ୮ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ସୁଦର୍ଶନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆନନ୍ଦପୁର ଡାକ୍ତରଖାନାରେ ମୃତ୍ୟୁ ପରେ ଆତଙ୍କ ଖେଳି ଯାଇଛି । ପରେ କଟକ ବଡ ଡାକ୍ତରଖାନାରେ ବସନ୍ତ ପାତ୍ର ନାମକ ଜଣେ ବ୍ୟକ୍ତି ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ।
ଚାଲିଛି ବର୍ଷା ଋତୁ । ହେଲେ ଏବେ ଠାରୁ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଡାଇରିଆ । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗଲାଣି ଗୋଟିଏ ପରେ ଗୋଟିଏ ଜୀବନ । ତେବେ ଖାଦ୍ୟ ବିଷାକ୍ତ ଖାଇବା ଏବଂ ଦୂଷିତ ପାଣି ପିଇବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଅନୁମାନ କରାଯାଉଥିବାବେଳେ, ଡାକ୍ତର ଟିମ୍ ପହଞ୍ଚି ଚିକିତ୍ସା ପାଇଁ ଲାଗି ପଡିଛନ୍ତି ।