ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ହୋଇଛି । ଅହମ୍ମଦାବାଦରେ ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର AI-171 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେମାନଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡିଆନ ନାଗରିକ ଏବଂ ୭ ଜଣ ପର୍ତ୍ତୁଗୀଜ ନାଗରିକ ଥିଲେ । ତେବେ ଏହି ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।
ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏୟାର ଇଣ୍ଡିଆର ଅହମଦାବାଦ-ଲଣ୍ଡନ ବିମାନ ଦୁର୍ଘଟଣା ନେଇ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ସମସ୍ତ ଯାତ୍ରୀ, କ୍ରୁ ସଦସ୍ୟ ଏବଂ ସେମାନଙ୍କର ପରିବାର ପାଇଁ ପ୍ରାର୍ଥନା କରୁଛି । ଭଗବାନ ଜଗନ୍ନାଥ ସମସ୍ତ ଆହତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ । ଏଭଳି ଏକ ଖରାପ ସମୟରେ ଗୁଜରାଟର ଲୋକଙ୍କ ସହିତ ଓଡ଼ିଶା ଛିଡ଼ା ହୋଇଛି ।