ମାଲକାନଗିରି: ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ସେ ଆଜି ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ୍ ଦେବା ନେଇ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
ମନୀଷ ଅଗ୍ରୱାଲ ଆତ୍ମସମର୍ପଣ ନକରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଏସଡିଜେଏମ କୋର୍ଟରେ ତୁରନ୍ତ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଆଦେଶକୁ ମାନି ସେ ଏସଡିଜେଏମ୍ କୋର୍ଟରେ ଆଜି ଆତ୍ମସମର୍ପଣ କରିଥିଲେ । ସେ ଆତ୍ମସମର୍ପଣ କରୁଥିବା ନେଇ କେହି ଅବଗତ ନଥିଲେ । ହଠାତ୍ ଶ୍ରୀ ଅଗ୍ରୱାଲ ଆତ୍ମସମର୍ପଣ କରିବା ପରେ ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ । ୫୦ ହଜାର ଲେଖାଏଁ ଦୁଇଟି ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।
ତେବେ ଏହି ମାମଲା ଉପରେ ଏବେ କେସ୍ ଚାଲିବା ନେଇ କହିଛନ୍ତି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଓକିଲ ।
ସୂଚନାଯୋଗ୍ୟ, ମନୀଷ ଅଗ୍ରୱାଲ ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ମାସରେ ତାଙ୍କ ଅଫିସରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କର ମୃତଦେହ ତା’ପରଦିନ ସତୀଗୁଡ଼ା ଡ୍ୟାମରୁ ମିଳିଥିଲା । ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା ଓ ପରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା । ତେବେ ଦେବ ନାରାୟଣଙ୍କ ପତ୍ନୀ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଦାୟୀ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ସେମାନଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୦୨,୨୦୧ ,୨୦୪ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହା ପରେ ଜିଲ୍ଲାପାଳ ପଦରୁ ମନୀଷଙ୍କୁ ହଟାଇଦିଆଯାଇଥିଲା ।