Ertew

ଭୁବନେଶ୍ୱର : ବଲାଙ୍ଗୀର ଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରାଣ କରିଛୁ । ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ଏବଂ ଜିଲ୍ଲାର ବିକାଶ ବି ତିନିଗୁଣ ବେଗରେ ଚାଲୁଛି ଓ ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ ।

ମେ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡ଼ିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି l ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆମ ଦେଶର କୃଷକ ସମାଜକୁ ବହୁ ସମ୍ମାନ ଦିଅନ୍ତି। ସେମାନଙ୍କୁ ଅନ୍ନଦାତା ଭାବେ ସମ୍ବୋଧନ କରନ୍ତି। ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜର ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସେ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ ।

ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି।

ପରିଶେଷରେ ସେ କହିଥିଲେ, ଆମ କୃଷକ ଭାଇଭଉଣୀମାନଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି ଏବଂ ଏକ ବର୍ଷ ଭିତରେ ସଫଳତା ମଧ୍ୟ ପାଇଛି। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ । ମାନନୀୟ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ , ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମ ଉପରେ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସଫଳ ଚାଷୀଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ନିଜ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ୍ , କଣ୍ଟାବାଞ୍ଜି ଲକ୍ଷ୍ମଣ ବାଗ୍ , ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ।

Share