Cm mohan

ସମୟ ରାତି ପ୍ରାୟ ୮.୩୦ ମିନିଟ୍ । କଲେଜ ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁ ସହ ସନ୍ଧ୍ୟା ସାଢ଼େ ୬ଟାରେ ଗୋପାଳପୁରରେ ପହଞ୍ଚି ବେଳାଭୂମି ବୁଲୁଥିଲେ । ପରେ ବେଳାଭୂମି ପାନ୍ଥ ନିବାସର ପଛ ଭାଗରେ ଥିବା ଏକ ନିଛାଟିଆ ସ୍ଥାନକୁ ଯାଇଥିଲେ ପ୍ରେମୀଯୁଗଳ । ସେଠାରେ ପୂର୍ବରୁ କିଛି ଛୋଟ ମୋଟ ଅପରାଧରେ ଲିପ୍ତ ଥିବା ୬ଜଣ ଯୁବକ ଓ ୪ ଜଣ ନାବାଳକ ଏମାନଙ୍କ ଠାରୁ ସାମାନ୍ୟ ଦୂରରେ ବସିଥିଲେ । ହଠାତ୍ ସେହି ଯୁବକ ମାନେ ଆସି ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମାରଧର କରିବା ସହ ତାଙ୍କୁ ଅଟକ ରଖିଥିଲେ ଓ ୫ଜଣ ଯୁବକ ପୀଡ଼ିତା ଜଣକୁ ଟେକି ନେଇଥିଲେ । ସେଠି ତିନି ଜଣ ଦୁଷ୍କର୍ମ କରିବା ପରେ ସେଠାରୁ ସେମାନେ ଚାଲି ଆସିଥିଲେ । ଏହି ଘଟଣା ସଂପର୍କରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ରାତି ୧୧ଟାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତୁରନ୍ତ ୭ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ପରବର୍ତୀ ସମୟରେ ଆଉ ୩ଜଣଙ୍କୁ ଧରିଥିଲା ।

ସେମାନଙ୍କ ମଧ୍ୟରୁ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ପ୍ରମୋଦ ନାୟକ ବେଙ୍ଗାଲୋରରେ କାମ କରୁଥିବା ବେଳେ ଛୁଟିରେ ସେ ଆସି ଅନ୍ୟ ସାଥୀ ହିଞ୍ଜିଳି, ବେଲଗାଁ ଥାନା ଅଧିନର ବାବୁ ରାମ ଦଳେଇ, କୁନାଲ୍ ପ୍ରଧାନ, ଓମ୍ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଓ ଦୀପକ ତରାଇଙ୍କ ସହ ଅନ୍ୟ ୪ଜଣ ନାବାଳକକୁ ଧରି ଘଟଣା ଦିନ ଗୋପାଳପୁର ଯାଇଥିଲା । ଆଉ ତା ପରେ ଏପରି ଲଜ୍ଜାଜନକ ଘଟଣା ଘଟିଗଲା । ସେମାନଙ୍କୁ ଯେପରି ଅଧିକରୁ ଅଧିକ ଦଣ୍ଡବିଧାନ କରାଯାଇ ପାରିବ ସେନେଇ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସପି କହିବା ସହ ଏପରି ଘଟଣା ଯେପରି ଆଗକୁ ଘଟିବ ନାହିଁ ସେଥି ପାଇଁ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯିବ ଓ ଅନ୍ଧାରୁଆ ସ୍ଥାନ ଗୁଡ଼ିକରେ ଆଲୋକର ବ୍ୟବସ୍ଥା କରାଯିବ ବୋଲି ଏସପି କହିଛନ୍ତି ।

ତେବେ କାହିଁକି କେଜାଣି ବିଗତ କିଛି ଦିନ ଧରି ଗଞ୍ଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚୋରି, ଡ଼କାୟତି, ହତ୍ୟା ଉଦ୍ୟମ ପରି ଗୋଟାଏ ପରେ ଗୋଟାଏ ଘଟଣା ଘଟି ଚାଲିଛି । ଅନ୍ୟ ପଟେ ପ୍ରେମ ଜନିତ ଘଟଣାକୁ ନେଇ ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରେ ନିକଟରେ ଜଣେ ଯୁବକ ଏକତରଫା ପ୍ରେମ କରୁଥିବା ତା ପ୍ରେମିକାକୁ ସାବଳରେ ମାରି ହତ୍ୟା କରିଥିଲା । ସେହିପରି ଗୋଳନ୍ଥରା ଥାନା ଅଧୀନରେ ଦୁଇ ସଂପର୍କିୟ ଭଉଣୀକୁ ଗଣଦୁଷ୍କର୍ମ ହୋଇଥିଲା । ଏବେ ପୁଣି ଥରେ ଗଣଦୁଷ୍କର୍ମ ପରି ଘଟଣା ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୁକ୍ତଙ୍କ ବାପ ଓ ସଂପର୍କୀୟ ମାନେ ଘଟଣାକୁ ବିଶ୍ୱାସ କରି ପାରୁନଥିଲେ ବି ଯଦି ଏପରି ଘଟଣା ସେମାନେ ଘଟାଇଥାନ୍ତି ତାହା ହେଲେ ଦଣ୍ଡବିଧାନ ହେବା ଦରକାର ବୋଲି ମଧ୍ୟ କହିଛନ୍ତି । ସେପଟେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିବା ବେଳେ ଅଭିଯୁକ୍ତ ମାନଙ୍କର ଡ଼ାକ୍ତରୀ ମାଇନା କରାଯାଇଛି ।

ତେବେ ଏତେ କମ୍ ଦିନରେ ଗଞ୍ଜାମ ପୋଲିସ ଜିଲ୍ଲା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଚୋରି, ଡ଼କାୟତି ହତ୍ୟା ପରି ଅପରାଧରୁ ବଳି ପଡ଼ିଛି ଦୁଷ୍କର୍ମ ଘଟଣା । ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେପରି ଏହି ଘଟଣା ପୁନରାଵୃତ୍ତି ନ ହୁଏ ତା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଉ ।

Share