ସୋରଡା: ପାରିବାରିକ କଳହର କରୁଣ ପରିଣତି । ମାତାଲ ସ୍ବାମୀର ନିର୍ଯାତନା ସହି ପାରିଲାନି ସ୍ତ୍ରୀ । ପ୍ରତିଦିନ ସ୍ବାମୀ ମଦ ପିଇ ଆସି ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା । ଆଉ ବେଳେବେଳେ ସ୍ତ୍ରୀକୁ ମାଡ଼ ବି ମାରୁଥିଲା ସ୍ବାମୀ । ସବୁଦିନ ସ୍ବାମୀର ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିଲା ସ୍ତ୍ରୀ । ଜୁନ୍ ୧୭ ତାରିଖ ବିଳମ୍ବିତ ରାତିର ଘଟଣା । ସବୁଦିନ ପରି ସେଦିନ ବି ସ୍ବାମୀ ମଦ ନିଶାରେ ଚୁର ଥିଲା । ହିତାହିତ ଜ୍ଞାନ ହରାଇ ବସିଥିଲା ସ୍ବାମୀ । ଘରେ ପଶୁ ପଶୁ ସ୍ତ୍ରୀ ସହ ଆରମ୍ଭ କରିଥିଲା ଝଗଡ଼ା । ଦୁଇ ଜଣଙ୍କ ଭିତରେ ବଚସା ହେଲା । କିନ୍ତୁ ଏ ବଚସା ଯେ ହତ୍ୟାର ରୂପ ନେବ କେହି କେବେ କଳ୍ପନା ବି କରିନଥିଲେ । ପାଖ ପଡ଼ୋଶୀ ବି ସ୍ବାମୀ ସ୍ତ୍ରୀଙ୍କ ଭିତରେ ହେଉଥିବା ଝଗଡ଼ାକୁ ଶୁଣିଥିଲେ । କିନ୍ତୁ ପର ଘର କଳିରେ କେହି ମୁଣ୍ଡ ପୁରାଇଲେନି । ଆଉ ଝଗଡ଼ା ହେବାର କେଇ ଘଣ୍ଟା ନପୁରୁଣୁ ଖବର ଆସିଲା ଜଣଙ୍କ ଜୀବନ ଯାଇଛି ।
ସ୍ତ୍ରୀ ନିଜ ସ୍ବାମୀର ଜୀବନ ନେଇଛି । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲେ ତାର ହିଁ ଜୀବନ ନେଇଗଲା ସ୍ତ୍ରୀ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ବାମୀର ଜୀବନ ନେବା ପରେ ସ୍ବାମୀ ଜୀବନ ହାରିଥିବାର ରୂପ ଦେବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ସ୍ତ୍ରୀ ।
ଗଞ୍ଜାମ ସୋରୋଡ଼ା ଅଧିନସ୍ତ ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ସ୍ବାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ । ମୃତ ସ୍ବାମୀ ହେଲେ ଅମର ନାୟକ । ସ୍ବାମୀକୁ ହତ୍ୟା କରିବା ପରେ ଜୀବନ ହାରିବାର ରୂପ ଦେବାକୁ ପ୍ରୟାସ କରିଥିଲା ସ୍ତ୍ରୀ ।
ସୂଚନା ଅନୁସାରେ ଜୁନ୍ ୧୭ ତାରିଖ ବିଳମ୍ବିତ ରାତିରେ ମୁଣ୍ଡମରାଇ ଗାଁର ଅମର ନାୟକ ଓ ତାଙ୍କ ସ୍ତ୍ରୀ ଅଞ୍ଜନା ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାକୁ କେନ୍ଦ୍ର କରି ସ୍ତ୍ରୀ ଅଞ୍ଜନା ନାୟକ ସ୍ବାମୀ ଅମର ନାୟକଙ୍କ ଚଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସ ହାତରେ ଧରାପଡ଼ିଯିବା ଭୟରେ ସ୍ବାମୀ ଜୀବନ ହାରିଥିବା ପଡ଼ୋଶୀଙ୍କୁ କହିଥିଲେ । ଘଟଣା ବିଷୟରେ ଧରାକୋଟ ପୋଲିସ ଅବଗତ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଥିଲା ପୋଲିସ । ସେପଟେ ଅଭିଯୁକ୍ତ ସ୍ତ୍ରୀକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ଏଭଳି ଛାତି ଥରା ଘଟଣାରେ ପୁରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁ ସମ୍ପର୍କ ଠାରୁ ଅଲଗା । ଏହା ଏମିତି ଏକ ସମ୍ପର୍କ ଯେଉଁଥିରେ ଦୁଇଟି ମନର ମିଳନ ହୋଇଥାଏ । ହେଲେ କାହିଁକି ସୃଷ୍ଟି ହେଉଛି ବୈବାହିକ ଜୀବନରେ ଫାଟ? କଣ ଘରୋଇ କଳି ସୁନାର ସଂସାରକୁ ଭାଙ୍ଗି ଦେଉଛି କି ? ନା ମଦ ପାଇଁ ଏମିତି ଛାରଖାର ହୋଇଯାଉଛି ଅନେକ ପରିବାର ।