ବ୍ରହ୍ମପୁର: ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିଭୂତି ଭୂଷଣ ଜେନା ଗୋପାଳପୁର ସମୁଦ୍ର ବେଳାଭୂମିରେ ଗଣଦୁଷ୍କର୍ମ ଘଟଣାସ୍ଥଳର ଅନୁଧ୍ୟାନ କରିଛନ୍ତି । ମନ୍ତ୍ରୀଙ୍କ ସହିତ ବ୍ରହ୍ମପୁର ଏସପି ଡ଼ା ଶ୍ରବଣା ବିବେକ ଏମ ଓ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତାଗୀର, କନିଷି ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ । ପ୍ରେମୀ ଯୁଗଳ କେଉଁଠି ବସିଥିଲେ ଓ କେଉଁଠି ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା ସେ ନେଇ ବ୍ରହ୍ମପୁର ଏସପି ମନ୍ତ୍ରୀଙ୍କୁ ସେହି ସ୍ଥାନ ଦେଖାଇଥିଲେ । ବେଳାଭୂମିରେ ନିର୍ମାଣ କରାଯାଇଥିବା ୪ଟି କ୍ୟାବିନ ନିକଟରେ ହିଁ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ତେଣୁ ଏହି କ୍ୟାବିନକୁ ତୁରନ୍ତ ଉଚ୍ଛେଦ କରିବା ନେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତହସିଲଦାରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବେଳାଭୂମିରେ ଆଲୋକିକରଣ କରାଯିବା ସହିତ ପେଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯିବ। ସେପଟେ ଗୋପାଳପୁର ଥାନାରେ ପହଞ୍ଚିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶ ଶେଖର। ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତେଣୁ ଘଟଣାକୁ ରେଡ୍ ଫ୍ଲାଗ ଭାବେ ବିବେଚିତ କରିବା ସହ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଆଇଜି ଘଟଣାର ଦାୟିତ୍ଵ ନେଇ ତଦନ୍ତ କରୁଥିବା ବେଳେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ତେଣୁ ଏଭଳି ଘଟଣା ସମୁଦ୍ର ବେଳାଭୂମିରେ ପୁନର୍ବାର ନହୁଏ ତାହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ପୁଲିସ ସମସ୍ତ ପ୍ରକାରର ପଦକ୍ଷେପ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।