Capture 107 750x430

ଆରଡି : ରାଜ୍ଯରେ ଦେଖା ଦେଇଥିବା ଝାଡାବାନ୍ତି ତଥା ଡାଇରିଆ ଏବେ ଜିଲାରୁ ଜିଲା ବ୍ଯାପିବାରେ ଲାଗିଛି। ପ୍ରଥମେ ଯାଜପୁର ଓ ପରେ ପଡୋଶୀ ଜିଲା ଭଦ୍ରକକୁ ବ୍ଯାପିଥିଲା। ଗତ କିଛିଦିନ ହେବ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଓ ଧାମନଗର ପରେ ଗତକାଲି ଠାରୁ ଆରଡିପୀଠ ଓ ଆଖପାଖ ଅଞ୍ଚଳରେ ଝାଡାବାନ୍ତି ଦେଖାଦେବାରୁ ଗୁରୁବାର ୯ଜଣ ଝାଡାବାନ୍ତି ରୋଗୀ ଆରଡି ମେଡିକାଲରେ ଭର୍ତ୍ତ ହୋଇଥିଲେ। ତାଙ୍କ ମଧ୍ଯରୁ ୨ଜଣ ରୋଗୀଙ୍କର ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏପଟେ ମେଡିକାଲର ଡାକ୍ତରଙ୍କ ମନମାନି ଯୋଗୁ ରୋଗୀ ସଠିକ ସ୍ବାସ୍ଥ୍ଯସେବା ନପାଇ ୪୨କିମି ଦୂର ଭଦ୍ରକକୁ କିଏ ଘରୋଇ ଗାଡି ତ ଆଉକିଏ ଆମ୍ବୁଲାନ୍ସରେ ଯାଉଛି। ଯାହାକୁ ରୋଗୀ ଓ ସମ୍ପର୍କିୟଙ୍କୁ ନାନା ହରକତ ହେବାକୁ ପଡୁଥିବା କହିଛନ୍ତି ରୋଗୀଙ୍କ ସର୍ମ୍ପକୀୟ। ଅନ୍ଯପଟେ ପୀଠର ପ୍ରବେଶ ପଥ ଓ ମୁଖ୍ଯ ବଜାର, ସାହିରାସ୍ତାରେ ଅଳି ଆର୍ବଜନା ଗଦା ହୋଇ ଅସ୍ବାସ୍ଥ୍ଯକର ପରିସ୍ଥିତି ସୃଷ୍ଟି କରୁଛି।
ଏପରିକି ପୀଠରେ ବିଶୁଦ୍ଧ ପାନୀୟଜଳ ନଥିବାରୁ ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି ଆଗନ୍ତୁକ ପର୍ଯ୍ଯଟକ ଓ ଭକ୍ତଙ୍କ ସହ ପୀଠର ବାସିନ୍ଦା । ପୀଠରେ ଥିବା ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଜଳ ପ୍ରଦୂଷିତ ହୋଇପଡିଥିବାରୁ ପାଣି କଳା ପଡିଯିବା ସହ ପଚା ଦୁର୍ଗନ୍ଧମୟ ହେଉଛି। ସେହିପରି ଯେଉଁ ମଧୁରଜଳ ପ୍ରକଳ୍ପରୁ ପାଇପ ଯୋଗେ ପାଣି ଯାଉଛି କେଉଁଠି ନର୍ଦମାରେ ତ ଆଉ କେଉଁଠି ଅଳିଆ ଗଦା ମଧ୍ଯରେ ଯାଇଥିବାରୁ ପାଇପ ଲିକ ହୋଇ ଦୂଷିତ ହେବାରେ ଲାଗିଛି । ଏପରି ଅବସ୍ଥାରେ ପାଣି ଆସୁଥିଲେ ମଧ୍ଯ ବାଧ୍ଯ ହୋଇ ଶୋଷ ମେଣ୍ଟାଇବା ପାଇଁ ଦୂଷିତ ପାଣି ପିଉଛନ୍ତି ଅଞ୍ଚଳବାସୀ। ଆଗାମୀ ଦିନରେ ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀ ଜଳକୁ ଯଦି ଶୋଧନ କରାନଯାଏ ତାହାଲେ ଝାଡାବାନ୍ତି ଅଧିକ ବ୍ଯାପିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଅନ୍ଯପଟେ ଆରଡି ସ୍ବାସ୍ଥ୍ଯକେନ୍ଦ୍ରର ଅବ୍ଯବସ୍ଥା ସର୍ମ୍ପକରେ ଭଦ୍ରକ ସିଡିଏମଓଙ୍କୁ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା। ଝାଡାବାନ୍ତି ବ୍ଯାପୁଥିବା ଅଞ୍ଚଳକୁ ଏକ ଡାକ୍ତର ଟିମ ପଠାଇବା ସହ ଆରଡି ମେଡିକାଲକୁ ୨୪ଘଣ୍ଟିଆ ଖୋଲା ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share