ଯାଜପୁର: ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଡାଇରିଆ । ଦିନକୁ ଦିନ ବଢ଼ିବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ଏବେ ବଡ଼ଚଣା ବ୍ଲକ୍ର ୬ ହୋଟେଲକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲାରେ ଡ଼ାଇରିଆ ଆତଙ୍କକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଜିଲ୍ଲାର ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ୬ଟି ହୋଟେଲକୁ ସିଲ୍ କରାଯାଇଛି । ଦୁଇ ଦିନ ପୂର୍ବରୁ ବଡ଼ଚଣା ବ୍ଲକର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ଛତିଆ ବାଲିକୁଦା ପ୍ରମୁଖ ବଜାର ମାନଙ୍କରେ ଦର୍ପଣ ତହସିଲଦାର ଚଢ଼ାଉ କରି ଖାଦ୍ୟର ଯାଞ୍ଚ କରାଯାଇ ବାସୀ ଖାଦ୍ୟକୁ ନଷ୍ଟ କରିଥିଲେ ।
ବିଭିନ୍ନ ହୋଟେଲରେ ବ୍ୟବହୃତ ପାଣିର ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ୧୧ଟି ନମୁନାରୁ ୬ଟି ହୋଟେଲର ପାଣିରେ ଇ-କୋଲାଇ ପଜେଟିଭ ଚିହ୍ନଟ ହୋଇଛି । ଦର୍ପଣ ତହସିଲଦାର ପୋଲିସ ଉପସ୍ଥିତିରେ ଦୋକାନଗୁଡିକୁ ସିଲ୍ କରାଯାଇଛି । ଚଣ୍ଡିଖୋଲ ଛକରେ ଥିବା ସୁଇଟ ଷ୍ଟଲ୍, ବାଲିଚନ୍ଦ୍ରପୁର ଓ ବାଲିକୁଦା ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ସିଲ୍ କରିଛି ପ୍ରଶାସନ । କହିରଖୁଛୁ, ଜୁନ ୯ ତାରିଖରୁ ଯାଜପୁରରେ କାୟା ମେଲାଇଛି ଝାଡାବାନ୍ତି ।
ତେଣୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଜଳଉତ୍ସ ଗୁଡିକୁ ବିଶୋଧନ କରାଯିବା ସହ ଲୋକମାନଙ୍କୁ ସଚେତନ କରାଯାଉଛି । ଅନ୍ୟପଟେ ଦୂଷିତ ପାନୀୟ ଜଳ, ବିଳମ୍ବିତ ଚିକିତ୍ସା ଓ ସଚେତନତାର ଅଭାବ ଡାଇରିଆର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେପଟେ ଜିଲ୍ଲାରେ ଏବେ ପର୍ଯ୍ୟନ୍ତ ୧୫୮ ଜଣ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଡାଇରିଆ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ୧୬ ଜଣ କଲେରା ପଜିଟିଭି ଚିହ୍ନଟ ହୋଇଛନ୍ତି ।
ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆ ୩ ଜଣ ରୋଗୀ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଭୋଜି ଓ ପାନୀୟ ଜଳ ଲାଗି ଏହା ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ ବେଆଇନ ଭାବେ ଚାଲୁଥିବା ପାଣି କାରଖାନା ଓ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ବ୍ୟାପୁଥିବା ଡ଼ାଇରିଆକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ସଂକ୍ରମଣ ରୋକିବା ପାଇଁ ଯାଜପୁର ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିସହ ଏହି ଛୁଟି ସମୟରେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ବିଷୋଧନ କରାଯିବ । ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ । ପିଇବା ଉପଯୋଗୀ ନଥିଲେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଲେ ଜିଲ୍ଲାପାଳ ।