କଟକ: ଭାଇ ସାଜିଲା ଭଗାରୀ । ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ । ମିଳିମିଶି ଜୀବନ ନେଲେ ଭାଇ, ଭାଇ ବୋହୂ ଓ ପୁତୁରା । କଟକ ବକ୍ସିବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ତିନି ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅଭିଯୁକ୍ତ ଉମେଶ ବାରିକ, ସରସ୍ଵତୀ ସ୍ଵାଇଁ ଓ ସ୍ବୟଂପ୍ରଭୁ ଶ୍ରୀଚରଣକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଅନ୍ୟ ଜଣେ ଭାଇର ମଧ୍ୟ ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି । ତାକୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛି କମିଶନରେଟ ପୋଲିସ ।
ସୂଚନା ଅନୁସାରେ ପୈତୃକ ସମ୍ପତ୍ତି ଭାଗ ଏବଂ ବିକ୍ରିବଟାକୁ ନେଇ ପୂର୍ବରୁ ଭାଇ ଭାଇ ଭିତରେ ମତଭେଦ ଓ ବିବାଦ ଥିଲା । କଟକ ସଦର ଥାନା ଅନ୍ତର୍ଗତ ଉରାଳି ଏବଂ ସାଲେପୁର ତଥା ଅନ୍ୟାନ୍ୟ ଅଞ୍ଚଳରେ ଥିବା କିଛି ଜମି ବିକ୍ରି କରିବା ପାଇଁ ଚାହୁଁ ଥିଲେ ଅନ୍ୟ ଦୁଇ ଭାଇ ଉମେଶ ବାରିକ ଓ ପ୍ରକାଶ ବାରିକ। ଏହାକୁ ବିରୋଧ କରି ଆସୁ ଥିଲେ ଅଶୋକ ବାରିକ । ଏଥିପାଇଁ ଅଶୋକଙ୍କୁ ହତ୍ୟା କରିଥିଲେ ଅନ୍ୟ ଦୁଇ ଭାଇ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଏବଂ ଦୁଇଟି ଫୋନ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ । ସିସି ଟିଭିରୁ ସୁରାକ ପାଇବା ପରେ, ଅଭିଯୁକ୍ତମାନଙ୍କୁ ଧରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ଗତକାଲି ଅଶୋକ ବାରିକଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା ।