ଭୁବନେଶ୍ବର: ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷାର ପ୍ରବେଶ ଏବଂ ଶିକ୍ଷଣ ଫଳାଫଳରେ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୨୨-୨୩ ଏବଂ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ) ୨.ଠ ରିପୋର୍ଟ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ-୫ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ରହିଥିବା ଜଣାପଡ଼ିଛି।
ଦକ୍ଷ (ଶୀର୍ଷ), ପ୍ରଚେଷ୍ଟା (ମଧ୍ୟମ ସ୍ତର) ଏବଂ ଆକାଂକ୍ଷୀ (ସର୍ବନିମ୍ନ) ଭଳି ୧୦ଟି ଗ୍ରେଡ୍ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ପ୍ରଦର୍ଶନ ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ଦକ୍ଷ(୯୪୧-୧୦୦୦) ଗ୍ରେଡ୍ରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ନାହାନ୍ତି। ଏହା ତଳକୁ ଥିବା ଉତ୍କର୍ଷ, ଅତି ଉତ୍ତମ ଏବଂ ଉତ୍ତମ ଗ୍ରେଡ୍ରେ ମଧ୍ୟ କୌଣସି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସ୍କୋର କରିନାହାନ୍ତି। ପ୍ରଚେଷ୍ଟା-୧ ଗ୍ରେଡ୍(୭୦୧-୭୬୦ ସ୍କୋର)ରେ ଏକମାତ୍ର ରାଜ୍ୟ ଭାବେ ଚଣ୍ଡିଗଡ଼ ରହିଛି। ପ୍ରେଚଷ୍ଟା-୨ରେ ଗୋଟିଏ ବି ରାଜ୍ୟ ନଥିବା ବେଳେ ପ୍ରଚେଷ୍ଟା-୩ରେ ଓଡ଼ିଶା ସମେତ ୧୦ଟି ରାଜ୍ୟ ସ୍ଥାନ ପାଇଛନ୍ତି। ଏହି ଗ୍ରେଡ୍ରେ ଥିବା ୧୦ଟି ରାଜ୍ୟ
୫୮୧-୬୪୦ ମଧ୍ୟରେ ସ୍କୋର କରିଛନ୍ତି। ପ୍ରଚେଷ୍ଟା-୩ ଗ୍ରେଡ୍ରେ ଥିବା ରାଜ୍ୟଗୁଡ଼ିକ ହେଲା ପଞ୍ଜାବ, ଦିଲ୍ଲୀ, ଗୁଜରାଟ, ଓଡ଼ିଶା, କେରଳ, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଡିଉ, ହରିଆଣା, ଗୋଆ, ମହାରାଷ୍ଟ୍ର ଏବଂ ରାଜସ୍ଥାନ। ୨୦୨୨-୨୩ ଶିକ୍ଷାବର୍ଷରେ ଓଡ଼ିଶା ୧୦୦୦ ପଏଣ୍ଟରୁ ୫୮୪.୫ ପଏଣ୍ଟ ସ୍କୋର କରିଥିଲା। ୨୦୨୩-୨୪ରେ ୧୧ ପଏଣ୍ଟ ଉପରକୁ ଉଠି ଓଡ଼ିଶା ୫୯୫.୬ ପଏଣ୍ଟ ସ୍କୋର କରିଛି। ୨୦୨୩-୨୪ ଶିକ୍ଷାବର୍ଷରେ ସାମଗ୍ରିକ ସ୍କୋରକୁ ବିଚାରକୁ ନେଲେ ଓଡ଼ିଶା ଶୀର୍ଷ ୫ ରାଜ୍ୟ ମଧ୍ୟରେ ରହିଛି। ଅନ୍ୟପକ୍ଷରେ ଆକାଂକ୍ଷୀ-୧ ଗ୍ରେଡ୍ରେ ୧୪, ଆକାଂକ୍ଷୀ-୨ରେ ୧୦ ଏବଂ ଆକାଂକ୍ଷୀ-୩ ଗ୍ରେଡ୍େର ଗୋଟିଏ ରାଜ୍ୟ (ମେଘାଳୟ) ରହିଛି।
ଏହାସହ ଜିଲା ଗୁଡ଼ିକର ପ୍ରଦର୍ଶନ ମାନକ ସୂଚକାଙ୍କ(ପିଜିଆଇ-ଡି) ପ୍ରକାଶିତ ହୋଇଛି। ଶିକ୍ଷଣ ଫଳାଫଳ, ପ୍ରଭାବୀ ଶ୍ରେଣୀଗୃହ, ଭିତ୍ତିଭୂମି ସୁବିଧା, ବିଦ୍ୟାଳୟ ନିରାପତ୍ତା ଏବଂ ଶିଶୁ ସୁରକ୍ଷା, ଡିଜିଟାଲ ଲର୍ଣ୍ଣିଂ ଏବଂ ଗଭର୍ଣ୍ଣାନ୍ସ ପ୍ରକ୍ରିୟା ଆଦି ୬ଟି ବର୍ଗରେ ୬୦୦ ପଏଣ୍ଟ ପାଇଁ ଜିଲା ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା। ୨୦୨୩-୨୪ ବର୍ଷ ପାଇଁ ରାଜ୍ୟରେ ଝାରସୁଗୁଡ଼ା ଜିଲା ସାମଗ୍ରିକ ଭାବେ ୩୮୩ ସ୍କୋର କରି ଉତ୍ତମ-୩ ଗ୍ରେଡ୍ରେ ରହିଛି। ୨୬୭ ସ୍କୋର କରି ରାୟଗଡ଼ା ଜିଲା ସବଠୁ ତଳେ ରହିଛି। ୨୪ ଜିଲା ପ୍ରଚେଷ୍ଟା-୧ ଗ୍ରେଡ୍ରେ ରହିଥିବାବେଳେ ପ୍ରଚେଷ୍ଟା-୨ରେ ରାୟଗଡ଼ା ସମେତ ୫ ଜିଲା ଅଛି। ସେହିପରି ୨୦୨୨-୨୩ ବର୍ଷରେ ମଧ୍ୟ ରାଜ୍ୟରେ ଝାରସୁଗୁଡ଼ା ଜିଲା ଆଗରେ ଥିବାବେଳେ ରାୟଗଡ଼ା ଜିଲା ସବୁଠୁ ତଳେ ଥିଲା। ୧୨ ଜିଲା ପ୍ରଚେଷ୍ଟା-୧, ୧୭ ଜିଲା ପ୍ରଚେଷ୍ଟା-୨ ଏବଂ ଗୋଟିଏ ଜିଲା (ରାୟଗଡ଼ା) ପ୍ରଚେଷ୍ଟା-୩ ଗ୍ରେଡ୍ରେ ରହିଥିଲା। ୨୦୨୩-୨୪ରେ ଝାରସୁଗୁଡ଼ା ଜିଲା ପ୍ରଚେଷ୍ଟା-୧ରୁ ଉତ୍ତମ-୩ ଗ୍ରେଡ୍କୁ ଉନ୍ନୀତ ହୋଇଛି।
