Odisha school reopening

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ମାଗଣାରେ ବିଦ୍ୟାଳୟ ପୋଷାକ ମିଳିବ। ସମଗ୍ର ଶିକ୍ଷା/ପିଏମଶ୍ରୀ/ଗଙ୍ଗାଧର ମେହର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ଜଣପିଛା ୫୦୦ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ବଣ୍ଟନ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖାଯିବା ସହ ମାର୍ଗଦର୍ଶିକା ଜାରି ହୋଇଛି। ଜୁଲାଇ ୧୫ ସୁଦ୍ଧା ପୋଷାକ ବଣ୍ଟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ କୁହାଯାଇଛି। ମାର୍ଗଦର୍ଶିକା ଅନୁସାରେ, ପୂର୍ବବର୍ଷ ପରି ଚଳିତ ବର୍ଷ ସମସ୍ତ ଛାତ୍ରଙ୍କୁ ଦୁଇହଳ ନିର୍ଦିଷ୍ଟ ପ୍ୟାଣ୍ଟ ଓ ଧଳା
ସାର୍ଟ ଏବଂ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଇହଳ ଫ୍ରକ୍ (ଝାଲେରୀ ସହିତ) ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ଦୁଇ ହଳ ସାଲୱାର କମିଜ ଓ ଓଢ଼ଣୀ ଦିଆଯିବ। ପୋଷାକର ରଙ୍ଗ ଓ ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବ। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୋଷାକ ବଣ୍ଟନ ହେବ। ସଠିକ୍ ମାନର ପୋଷାକ ବିତରଣ ପରେ ବିତରକଙ୍କୁ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ କରାଯିବ। କୌଣସି ପରିସ୍ଥିତିରେ ନଗଦ ଅର୍ଥ ମାଧ୍ୟମରେ ଦେୟ ପ୍ରଦାନ କରାଯିବନି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାଙ୍କ ପାଖରେ ଗୋଟିଏ ହଳ ପୋଷାକ ନମୁନା ଭାବେ ରଖିବେ। ପ୍ରଧାନ ଶିକ୍ଷକ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପିଲା ଉତ୍ତମ ମାନର ପୋଷାକ ପାଇଛନ୍ତି ବୋଲି ପ୍ରମାଣପତ୍ର ଦେବେ।

Share